ମେଳା
ମେଳା
ବାର ମାସରେ ତେର ପରବ
ପାଳେ ଓଡ଼ିଆ ପୁଅ
ଜାଗା ଜାଗାରେ ବସଇ ମେଳା
ଛୁଟେ ଲୋକଙ୍କ ସୁଅ ।
ପଡିଆ ହୁଏ ଲୋକ-ଅରଣ୍ୟ
କେଇଟା ଦିନ ପାଇଁ
କେତେ ରକମ ଦୋକାନ ବସେ
ହିସାବ ତା'ର ନାଇଁ ।
କିଣନ୍ତି ଲୋକେ ଘରକରଣା
ଜିନିଷ ଦେଖି ଚାହିଁ
ମିଳଇ ତହିଁ ସବୁ ଦରବ
ଯେଉଁଠି ଯାହା ନାହିଁ ।
ସେଇଠି ବସି ଦେଖାଏ ଖେଳ
ମାଙ୍କଡ଼ନଚାବାଲା
ପେଡିଟେ ଖୋଲି ସାପୁଆ ଡାକେ
ଭାଲାରେ ଭାଲା ଭାଲା ।
ସର୍କସବାଲା ଥାଆନ୍ତି ସେଠି
ଦୋଳି ବି ଝୁଲେ କେତେ
ପୋଲିସ ଆଉ ଏନ୍ ସି ସି ପିଲା
ଦେଖ ଯାହାକୁ ଯେତେ ।
ବିକିରି ହୁଏ ମାଟି କଣ୍ଢେଇ
ପିଲାଙ୍କ ମନ ଜାଣି
ଗୁଡିଆ ଭାଇ ଜିଲାପି,ଲଡୁ
ସଜେଇଥାନ୍ତି ଆଣି ।
ବିକନ୍ତି ନାନା ବୁଲାବିକାଳି
ବେଲୁନ୍ ଆଦି ଧରି
ମାଇକି ବାଜେ ବୁଲନ୍ତି ଲୋକେ
ଭାରି ଗହଳି କରି ।
ବାପାଙ୍କ ସାଥେ ଦେଖେ ମୁଁ ଯାଇ
ମେଳାରେ ସବୁ ବୁଲି
ଖେଳନା କିଣେ ମଉଜ କରେ
ଦୋଳିରେ ଝୁଲି ଝୁଲି ।