ମେଘ ରୂତୁର କବିତା
ମେଘ ରୂତୁର କବିତା
ମେଘ ଋତୁର ନିସ୍ତବ୍ଧ ପ୍ରହରରେ
ମାଟିରେ ଆକାଶ କାଚିହେଲା ବେଳେ
ସ୍ମୃତିର କବର ଫାଙ୍କରୁ ଉଙ୍କିମାରେ -
ସମାଧିସ୍ଥ ପ୍ରେମର ପ୍ରେତାତ୍ମା... II
ପ୍ରେତାତ୍ମା ପାଗଳ ପରି ପ୍ରଳାପ କରିପାରେ
ଭୂଇଁ ରାମ୍ପୁଡି ବୁକୁ ଫଟେଇ ବାହୁନି କାନ୍ଦି ପାରେ,
ନିଶୂନ ରାତିରେ ଖୋଜି ପାରେ
ମଲା ଜହ୍ନ... ମଉଳା ସର୍ଗୀଫୁଲ...
ତନ୍ନ ତନ୍ନ... ତନ୍ନ ତନ୍ନ.... ;
ଅଟ୍ଟହାସ୍ୟ କରି ପଚାରି ପାରେ -
ପ୍ରତାରଣା କିଏ କାହାକୁ ଦେଇଛି?
ପ୍ରତିଧ୍ଵନି କହେ କଣ...?
ପ୍ରତିଧ୍ଵନି କହେ କଣ....??
ମେଘ ଋତୁରେ କାହିଁକି କେଜାଣି !!
ଇଚ୍ଛା ମାନେ ଅଜାମ୍ବିଳ ପାଲଟି ଯା'ନ୍ତି
ସାପ ଲାଞ୍ଜ ଧରି-
ପାପ କି ପୁଣ୍ଯର ପୟୋଧି ଲଙ୍ଘନ୍ତି
ସେମାନଙ୍କୁ ହିଁ ଜଣା !!
ଏଣେ କିନ୍ତୁ ଉଡୁଥାଏ -
ପ୍ରେମର ଫର୍ଦ୍ଦ ଫର୍ଦ୍ଦ ଅଲିଖିତ ବିକ୍ଷିପ୍ତ ଚୁକ୍ତିନାମା,
ଝଣ୍ ଝଣ୍ ତୁଟୁଥାଏ -
ବିଶ୍ବାସ ଓ ଭରସା ଖଚିତ ହୃଦୟ ଆଇନା ll
ଏଠି ତ ରାସ୍ତା ସାରା ରକ୍ତର ନଈ !!
ପାଦ ପାତିଲେ ତ' ରକ୍ତ ଛିଟା
କେମିତି ବା କିଏ ପୋଛିଦେବ ପଛ ଦାଗ
ସଦ୍ୟ ରକ୍ତ-ସ୍ନାତ ହୋଇ....??
ଏମିତି ହିଁ ମେଘ ଋତୁରେ -
ପ୍ରେମାତ୍ମା-ପ୍ରେତାତ୍ମାମାନେ ବାହୁନୁଥିବେ
କଇଁ... କଇଁ..
କଇଁ... କଇଁ.....l।

