STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ମଧୁୁବବାବୁ ସ୍ମରଣେ

ମଧୁୁବବାବୁ ସ୍ମରଣେ

1 min
153

ବୀର ପ୍ରସବିନୀ   ଉତ୍କଳ ମାତାର

    ଘୋର ଦୁର୍ଦ୍ଦିନକାଳରେ

କୁଆଁ କୁଆଁ ହୋଇ   କାନ୍ଦି ଉଠିଥିଲ

   ଉତ୍କଳ ମାତା କୋଳରେ ।


ଅଷ୍ଟାଦଶ ଶତ   ଅଡଚାଳିଶର

    ଏପ୍ରିଲ ଅଠାଇଶ ଦିନ

କରିଥିଲ ତୁମେ   ରଘୁନାଥ ଦାସ

      ପାର୍ବତୀ କୋଳ ମଣ୍ଡନ ।


ସତ୍ୟଭାମାପୁର   ଗ୍ରାମ ଚାଟଶାଳୀ

    ଚାଟଟିଏ ସାଜିତୁମେ

ଆରମ୍ଭକରିଲ   ବାଲ୍ୟ ଶିକ୍ଷା ତୁମ

     ଆଗକୁ ବଢିଲ କ୍ରମେ ।


ପ୍ରଥମ ଓଡିଆ    ଏମ୍ ଏ ହେଲ ତୁମେ

    ପ୍ରଥମ ବିଲାତ ଫେରା

ବାରିଷ୍ଟର ଭାବେ   ରଖିଗଲ ତୁମେ

    ପ୍ରତିଷ୍ଠା ଜଗତ ସାରା ।


ହୃତ ଗଉରବା   ମୃତ ଗଉରବା

    ଛିନ୍ନମସ୍ତା ଉତ୍କଳର

ବ୍ୟଥିତ କରିଲା  ଖଣ୍ଡ ବିଖଣ୍ଡିତ 

    ଉତ୍କଳର କଳେବର ।


କୋଣାର୍କ ମନ୍ଦିର   ପ୍ରସ୍ତର ଗାତ୍ରରେ

    ମହୋଦଧି ପୁଣ୍ୟତୀରେ

 ଭୁବନେଶ୍ବରରେ    ମନ୍ଦିରେ କାନ୍ଥରେ

      ଖଣ୍ଡଗିରି ଧଉଳିରେ ।


ଗଙ୍ଗା ନଦୀଠାରୁ    ଗୋଦାବରୀ ଯାଏ

   ଉତ୍କଳ ମାତାକୁ ଖୋଜି

ଦେଖିଥିଲ ତୁମେ   ଉତ୍କଳର କଳା

     ସ୍ଥାପତ୍ୟ କୀରତିରାଜି ।


ଉତ୍କଳମାତାକୁ    ଆତୁରେ ଡାକିଲ

     ଖୋଜି ଖୋଜି ସବୁଠାରେ

ସର୍ବତ୍ର ଦେଖିଲ   ମାତା ପଦଚିହ୍ନ

   ଭେଟନାହିଁ କେଉଁଠାରେ ।


ଖଣ୍ଡବିଖଣ୍ଡିତ   ଉତ୍କଳ ମାତାର

   ଭଗ୍ନ କଳେବରମାନ

ଏକତ୍ର କରିଣ  ଅଖଣ୍ଡ ଉତ୍କଳ

    କରିବା ପୁନର୍ଗଠନ ।


ଅଭିପ୍ରାୟ ନେଇ   ଗଠନ କରିଲ

     ଉତ୍କଳ ସମ୍ମୀଳନୀ

ଉଦ୍ ବୁଦ୍ଧ କଲା    ଓଡିଆ ଜାତିକୁ

    ତୁମ ଉକ୍ତି ଉଜ୍ଜସ୍ବିନୀ ।


ଓଡିଆ ଜାତିକୁ   ଚେତାଇଲ ତୁମେ

   ତା କର୍ତ୍ତବ୍ୟ ବିଷୟରେ

ସ୍ବତନ୍ତ୍ର ଓଡିଶା  ପ୍ରଦେଶ ଗଠନ

    ସ୍ବପ୍ନ ଜଗାଇଲ ତାରେ ।


ଓଡିଆ ଜାତିର   ସକଳ କ୍ଷେତ୍ରରେ

   ଉନ୍ନତିର ସ୍ବପ୍ନ ନେଇ

କରିଯାଇଥିବା    ତୁମରି କାର୍ଯ୍ୟର

    ଜଗତେ ତୁଳନା ନାହିଁ ।


ଜାତି ନନ୍ଦିଘୋଷ   ବଢିପାରେ ନାହିଁ

   ସ୍ବାର୍ଥକୁ ସାରଥୀ କଲେ

ଏହି ଉକ୍ତି ତୁମ     ଶିକ୍ଷା ଦେଉଥିବ

    ଓଡିଆଙ୍କୁ କାଳେ କାଳେ ।


ଓଡିଆ ଜାତିର    ଚିର ନମସ୍ୟ

    କୁଳବୃଦ୍ଧ ମଧୁବାବୁ

ଉତ୍କଳ ଗୌରବ   ଚିର ସ୍ମରଣୀୟ

    ଚିର ପୂଜ୍ୟ ମଧୁବାବୁ ।


 ତୁମ ଜୟନ୍ତୀରେ   ତୁମକୁ ମୋହର

     ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

  ଦେଶପ୍ରେମ ଭାବ   ଜାଗ୍ରତ କରୁ

      ଯେତେ ତୁମ କାର୍ଯ୍ୟାବଳୀ ।


Rate this content
Log in

Similar oriya poem from Abstract