ମଧୁ ମଳୟ
ମଧୁ ମଳୟ
ଫଗୁଣ ଚଇତ ବେନି ବସନ୍ତ ଆସନ୍ତି ଘେନି
ଧରାପୃଷ୍ଠେ ନବ ରୂପେ ଆନନ୍ଦ ଭରି,
ଶୀତ ଯାଏ ଅପସରି ସୂର୍ଯ୍ୟ ତାପ ହୁଏ ଭାରି
ନବ ପତ୍ର ଫୁଷ୍ଫେ ଧରା ବଢାଏ ଶିରୀ,
ମୃଦୁ ମୃଦୁ ମଧୁ ମଳୟ
ବହି ଆସି ଜନ ମନ କରେ ତନ୍ମୟ।
ସହକାର ବୃକ୍ଷେ ଫୁଟି ବଉଳ ଉଠେ ଚହଟି
ଶୋଭାମୟ ଦିଶେ ତୋଟା ବାସ ବିତରି,
ଗହଳ ପତର ଡାଳେ ଛପି ରହି ଆଢୁଆଳେ
ମଧୁକଣ୍ଠ ଗାଏ ଗୀତ ହୃଦ ବିଦାରି,
କୁ.. କୁ.. ତାନ ଅତି ମଧୁର,
ଭାବୁକ ପ୍ରାଣ ପୁଲକେ ହୁଏ ବିଭୋର।
ଉପବନେ ଫୁଲ ହାଟ ପ୍ରଜାପତି କରେ ହଟ
ସୁମନ ମନକୁ ତାର କରେ ଆକୃଷ୍ଟ,
ଅମୀୟ ସେ ମଧୁଝର ପାନକରି ମଧୁକର
ମେଣ୍ଟାଇ ତା' ହୃଦ ତୃଷା ହୁଏ ସନ୍ତୁଷ୍ଟ,
ଅନାବିଳ ପ୍ରେମେ ପାଗଳ,
ବିଧିର ବିଧାନେ ରହି କରେ ମଙ୍ଗଳ।
ନବ ନହୁଲୀ ଯୁବତୀ ପରି ଲାଗେ ଏ ପ୍ରକୃତି
ରୂପ ରଙ୍ଗେ ସଜ ହୋଇ ଦିଶେ ସୁନ୍ଦରୀ,
ଫଗୁଣର ଫଗୁ ବୋଳି ମଳୟେ ସେ ଖେଳିଖେଳି
ମନେ ପ୍ରାଣେ ଆଶା ନିଶା ଦିଏ ସଞ୍ଚାରି,
ସପନରେ ସପନ ଭରି,
ଜୀବନରେ ନାଚି ଯାଏ ଖୁସି ଲହରୀ।
ଋତୁରାଜ ବସନ୍ତର ଆଶିଷରେ ଏ ସଂସାର
ମଧୁମୟ କରେ କେତେ ମଧୁ ମଳୟ,
ଆନନ୍ଦ ଉଲ୍ଲାସ ଭରି କଲ୍ୟାଣ କରେ ସବୁରି
ଉତ୍ଫୁଲ୍ଲିତ କରି ଦିଏ ଜନ ହୃଦୟ,
ବିଧୁର ପ୍ରାଣର ପ୍ରେରଣା,
ଝରୁ ଥାଏ ସଦା ତାର ଦୟା କରୁଣା।

