STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ମଦ ବାଣୀ

ମଦ ବାଣୀ

1 min
191


ମନ ଦେଇ ଶୁଣ ହେ ମଦ୍ଯପଗଣ‌

    ମୁଁ ତୁମର ପ୍ରିୟ ମଦ,

ସ୍ତ୍ରୀ ପିଲା ପର କରୁଛ ମୋ ପାଇଁ

    ତେଣୁ ଦେଲି ଧନ୍ୟବାଦ।


ଦୁନିଆଁ ମଧ୍ୟରେ ସବୁଥାଇ ଯେଣୁ

    କଲ ମୋତେ ପ୍ରିୟପାତ୍ର,

ସେଇଥି ପାଇଁକି ଶୁଭେଚ୍ଛା ଜଣାଏ

     ତୁମକୁ ମୁଁ ଶତ ଶତ।


ଭଲକି ଜାଣିଛ ମୋ ପାଇଁ ତୁମର

     ସରକାର ଚାଲୁଅଛି,

ମଦ କାରବାରେ ଅଧିକା ରାଜସ୍ଵ

     ସରକାରଙ୍କୁ ମିଳୁଛି।


ମଦ ବିକାଳୀଙ୍କୁ ପ୍ରୋତ୍ସାହନ ମିଳେ

     ମଦ ବେଶୀ ବିକିବାରୁ,

କାଉଣ୍ଟର ଭିଡ଼ ମଦୁଆଙ୍କ ପାଇଁ

     ମିଳୁଛି ବିଦେଶୀ ଦାରୁ।


ମଦ ବିନା ପଦ ବାହାରେ ତ ନାହିଁ

     ମଦ ପିଏ ଯିଏ ମର୍ଦ୍ଦ,

ଛକ ବଜାରରେ କରାମତି ଦେଖ

     ଟଳମଳ ତାଙ୍କ ପାଦ।


ବାହାଘର ହେଉ ବ୍ରତଘର ହେଉ

     କିମ୍ବା ଉଠୁଥାଉ ଶବ,

ଯଦି ନାହିଁ ମଦ ମେଲଣ କୀର୍ତ୍ତନେ

    ଅଛି କି ସେଥିରେ ଭାବ?


ମଝିରାସ୍ତାଟାରେ‌ ମଦୁଆ ଶୋଉଛି

    ଅମାନିଆ ଷଣ୍ଢ ଭଳି,

କୁକୁର ମୁହଁରେ ମୁତୁଥାଉ ପଛେ

    ଭାବରେ ଥାଏ ସେ ବୁଡ଼ି।


ବେକମୋଡା କଣଫୁଟା ତଣ୍ଟିକଟା

    ହୁସ୍କି‌ ବ୍ରାଣ୍ଡି ଆସ୍କାଫର୍ଟି,

ଖଜୁରୀ ତାଡିକି‌ କେରାଣ୍ଡି ଶୁଖୁଆ

    ଡାକୁଥାଏ ମାରି ଆଖି।


ଦେଶୀଦାରୁ ହେଉ କି ନମ୍ଵର ଓ୍ଵାନ୍

    କିମ୍ବା ସେ କିଷାନ ରମ୍,

ସାଙ୍ଗ ପାଖେ ଧରି ପେକ୍‌ପେକ୍ ମାରି

    ଚାଖୁଥାରେ‌ ଆଳୁଦମ୍।


ଧନ୍ୟ ହେ ମଦୁଆ ତୁମ ପାଇଁ ଯାହା

    ଦେଶର ମହତ ବଢେ,

ପ୍ରିୟ ନାଗରିକ ତୁମ ଭଳି ଆଉ

    କିଏ ଏଠି ହୋଇପାରେ?   


ତୁମ ପାଇଁ ମଦ ଦୋକାନୀ ବଞ୍ଚୁଛି

    ମେଡିକାଲ ଚାଲୁଅଛି,

କ୍ୟାନ୍ସର ଔଷଧ ବିକ୍ରି ବି ହେଉଛି

    ଡାକ୍ତର ଘର ଚଳୁଛି।


ମଦ ବିନା ଏଠି ଦେଶ‌ କି ଚଳନ୍ତା

    ନା,ନାରୀ ଶକ୍ତି ମାତୁଥାନ୍ତା,

ଜାଗା ଜାଗା ଏହି ମଦ ଦୋକାନରେ

    ଭଙ୍ଗା ରୁଜା ହେଉଥାନ୍ତା?


ମଦ ପାଇଁ ଏଠି ଯେତେକ ଭିଆଣ

    ମଦ ପାଇଁ ଏଠି ନାଟ,

ମଦକୁ ଯିଏ ସେ ଜନମ ଦେଇକି

     ତାକୁ କୋଟି ଦଣ୍ଡବତ।


ଯୋଉଠି ଦେଖିବ ସେଇଠି ତ ମଦ

     ମଦୁଆର ପ୍ରାଦୁର୍ଭାବ,

ମଦ ପାନ ପରେ ମୁକ ବି ଗାଳୁଛି‌

     ମୁଖେ ଅନର୍ଗଳ ବେଦ।


ମଦ ବିନା ତୁମ ସାଧ୍ୟ କିବା ଅଛି

     ଚାଲିବାକୁ ଦୁଇ ପାଦ,

ମଦର ପ୍ରଶଂସା ସବୁଆଡେ ଶୁଭେ

     ଦୁଧ ପାଏ ଅପବାଦ।


ମଦ କରାମତି ଦୁଧ କି ବୁଝିବ

     ମଦ ପରା ଏଠି ଷଣ୍ଢ,

ଦୁଧପିଆ ଲୋକ ସେକି ମର୍ଦ୍ଦ ହେବ

    ବରଂ ସିଏ ଆଜି ଗଧ‌।


ମଦ କାଉଣ୍ଟରେ ବୋତଲ ହସୁଛି

    ମଦୁଆକୁ ଆଖି ମାରି,

ଘରଣୀର ଝାଡ଼ୁ ପାହାରକୁ କିବା

    ମଦୁଆ କରେ ଖାତିରି?


ମଦ ବାଣୀ ଶୁଣି ହେ‌ ପ୍ରିୟ ସୁଜ୍ଞାନୀ

    କର୍ଣ୍ଣକୁ ପବିତ୍ର କର,

ମୁରୂଖ ଅପର୍ତ୍ତି ମଦ ମଦୁଆଙ୍କୁ

    କରୁଛି ଦୂରୁଁ ଜୁହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy