ମାଟି ମା'ର ନିବେଦନ
ମାଟି ମା'ର ନିବେଦନ
ଅକ୍ଷାଂଶ ରୁ ଦ୍ରାଘିମା
ଭୂମି ରୁ ଭୂମା,
ପାଣି ରୁ ପବନ
ଜୀବ ରୁ ଜୀବନ,
ସବୁଠି ଅସ୍ତ ବ୍ୟସ୍ତ
ଚାରିଆଡେ ସନ୍ଦେହ କୁହେଳିକା ପ୍ରବଣ।
ପଲ୍ଲୀ ଠୁ ସହର
ପୁର ଠୁ ନଅର
କର୍ଦ୍ଦମାକ୍ତ, ବିପର୍ଯ୍ୟସ୍ତ,
ଅହଂକାର,ଅସହିଷ୍ଣୁତାର ଜହର।
ସମ୍ପ୍ରଦାୟରୁ ସାମ୍ପ୍ରଦାୟିକତା
ଜାତିରୁ ଜାତୀୟତା,
ସବୁଠି ବିଶ୍ବାସ ଲାଗେ ଝାପସା,ଝାପ୍ସା ,
ଅନ୍ତର୍ହିତ ଆଜି ଉଦାର ମାନବିକତା ।
ପ୍ରାଣବନ୍ତ ଜାତି ପକ୍ଷାଘାତ
ଅସହିଷ୍ଣୁତାର ବିଷାକ୍ତ ଲହରୀରେ,
ସମାଜର ଧାରା ପ୍ରଦୂଷିତ
ସ୍ବାର୍ଥର ବିଷାକ୍ତ ପ୍ରବାହରେ ।
ଦିବ୍ଯଭୂମି ଦେବଭୂମି ଆମ ଅସ୍ମିତା
ଅନେକ ଝଡର କ୍ଷତ ପରେ
ଭାରତ ଦେଇଛି କେତେ ବାଗ୍ମୀତା,
ଶୋଷଣ ପୀଡନର ରକ୍ତ ପଞ୍ଝାତଳେ,
ଧର୍ମ ସମ୍ପ୍ରଦାୟର ଊର୍ଦ୍ଧ୍ବରେ ଭାରତୀୟ,
ନ୍ୟାୟରେ ଦେଖାଇଛି ଜାତୀୟତା ।
ସବୁକିଛି ବିସ୍ମରୀ ଦେଇଛି,
କରୁଣ କାହାଣୀରେ ଗଢା
ଦେଶର ଇତିହାସକୁ,
ପ୍ରଶସ୍ତ ହୃଦୟକୁ,
ଅହଂକାରହୀନ ପ୍ରତାରଣା ଶୂନ୍ୟ,
ପ୍ରେମ ପ୍ରଣୟରେ ହୃଦୟ ଜିଣିବାକୁ,
ଅପାରଗ ଆଜି ସେ,
ମଣିଷ ହୋଇ ବୁଝିବାକୁ ମଣିଷର ବାଣୀ,
କୁହ ତେବେ,ଏତେ ବଳିଦାନେ
ଲାଭ କିବା ସ୍ବାଧୀନତା ଆଣି?
ହଜିଯାଇଛି ମନରୁ ମାନବିକତା,
ଦିବ୍ଯ ସତ୍ତାର ଛାତିରେ ପାଶବିକତା,
ଚୌହଦୀରେ ଅବିଶ୍ବାସ ଅସହିଷ୍ଣୁତା,
ଅହମିକାରେ ପ୍ରତିଦ୍ବନ୍ଦିତା।
ସଂଘର୍ଷର ଶୋଣିତେ
ଅରୁଣିମା ଆଜି ମାଟି ମା'।
ଆଞ୍ଜୁଳା ପାତି ନିବେଦନ କରେ
ଫେରାଇ ଦେବାକୁ
ପ୍ବର୍ବ ବିଶ୍ବାସ ସାଥେ
ସୁଜଳା ସୁଫଳା ସୁନ୍ଦର ସବୁଜିମା ।।