ମାଟି ଘର
ମାଟି ଘର
ଆର ଗାଁ ର ସେ ପାହାଡ଼ ଫାଙ୍କରେ
ଯେବେ ତାରା ଫୁଲ ଫୁଟେ
ଗାଁ ଶେଷ ମୁଣ୍ଡ ଭଙ୍ଗା ମାଟି ଘରେ
ବତୀ ଟିଏ ଜଳି ଉଠେ ।
ବରଗଛ ତଳ ଭଙ୍ଗା କୁଡ଼ିଆରେ
ରହୁଥିଲା ବୁଢ଼ୀଟିଏ
ଭାରି ଅଭାଗିନୀ ଥିଲା ସେ ଦୁଃଖିନୀ
ନ ଥିଲା ନିଜର କିଏ ।
ବଣ ବୁଦା ଡେଇଁ, ବାପାଙ୍କୁ ଲୁଚାଇ
ଯାଉଥିଲି ମୁଁହି ଧାଇଁ
ଦିନେ ନ ଦେଖିଲେ ଆକୁଳ ନୟନେ
ରହୁଥିଲା ବାଟ ଚାହିଁ ।
ପାଖରେ ବସାଇ ମୁଣ୍ଡକୁ ଆଉଁସି
କରେ ସେ କେତେ ଆଦର
ମାଟି ଘର ତା'ର ମୋ ପାଇଁକି ଥିଲା
ସ୍ନେହ, ପ୍ରେମର ମନ୍ଦିର ।
ଶୁଣିଲି ମୁଁ ଦିନେ ସେ ସେନେହମୟୀ
ଦୁନିଆରେ ଆଉ ନାହିଁ
ଧାଇଁ ଗଲି ମୁଁହି ଶେଷଥର ତାକୁ
ଟିକିଏ ଦେଖିବା ପାଇଁ।
ଭୂମି ପରେ ତା'ର ଦେହ ପଡିଥିଲା
ନଥିଲା ପିଣ୍ଡରେ ପ୍ରାଣ
ହତବାକ୍ ହୋଇ ଦେଖୁଥିଲି ତାକୁ
ଝୁରି ସେ ପୁରୁଣା ଦିନ ।