ମାତୃଭୂମି
ମାତୃଭୂମି
ପବିତ୍ର ମୋର ଜନ୍ମଭୂମି
ଏଇ ଭାରତ ବର୍ଷ
ଗର୍ବ ଗୌରବ କୀର୍ତ୍ତି କଳାପ
ଗାଉଛି ଇତିହାସ ।
ହିମାଳୟଠୁ କନ୍ୟା କୁମାରୀ
ରହିଛି ତାର ଯଶ
ତା ଧୈର୍ଯ୍ୟ ପାରାକାଷ୍ଠାକୁ ଦେଖି
ବିସ୍ମିତ ସାରା ବିଶ୍ବ ।
ଯିଏ ଦେଖୁଛି ଚାହିଁ ରହୁଛି
ଧନ୍ୟ ଭାରତ ସଲାମ କରୁଛି
ଧନ୍ୟ ତାହାର ଯୋଗ୍ୟ ସନ୍ତାନ
ଓଠରେ ଭରେ ହସ ।
ପବିତ୍ର ମୋର ଜନ୍ମଭୁମି
ଏଇ ଭାରତ ବର୍ଷ ।
ସବୁଜ ସୁନ୍ଦର ତରୁ ବନ
ବହଇ ସ୍ରୋତସ୍ବନୀ
ପାହାଡୁ ଝରି ପାହାଡି କନ୍ୟା
ଝରଇ ନିର୍ଝରିଣୀ ।
ସବୁଜ କ୍ଷେତେ ହସେ ଧରଣୀ
ହସଇ ବିଲ ବନ
ଆକୃଷ୍ଟ କରେ ସୌନ୍ଦର୍ଯ୍ଯେ ତାର
ବିଭୋର ତନୁ ମନ
କୋଇଲି ଏଠି ଗାଅଇ ଗୀତ
ବାଇ ଚଢେଇ ସବୁରି ମିତ
ମେଘକୁ ଦେଖି ନାଚେ ମୟୂର
ଚାଷୀର ଓଠେ ହସ ।
ପବିତ୍ର ମୋର ଜନ୍ମଭୂମି
ଏଇ ଭାରତ ବର୍ଷ ।
ନୀଳ ସାଗର ସେ ଉର୍ମିମାଳା
ଧୁଏ ଚରଣ ତାହାର
ହିମାଳୟ ତା ଛତ୍ର ସାଜଇ
ମୁକୁଟ ଗିରି ବର ।
ଜାଗ୍ରତ ତାର ବୀର ଯବାନ
ମାତୃ ସେବାର ପାଇଁ
କରେ ଶପଥ ରଖିବ ଟେକ
ଜୀବନ ବାଜି ଦେଇ ।
ସେଇ ଦେଶରେ ଜନମ ଆମ
ରଖିବୁ ନିଶ୍ଚେ ତାର ସୁନାମ
ସତ୍ୟ ଧର୍ମର ନ୍ୟାୟର ପାଇଁ
କରୁଥିବୁ ସଂଘର୍ଷ ।
ପବିତ୍ର ମୋର ଜନ୍ମଭୂମି
ଏଇ ଭାରତ ବର୍ଷ ।
ସଭିଁଏ ଆମ ଅତି ନିଜର
କେହି ନୁହଁନ୍ତି ପର
ଜାତି ଧର୍ମ ପ୍ରଭେଦ ନାହଁ
ସଭିଁଏ ଆପଣାର ।
ଗୋଟିଏ ମାଆ ସନ୍ତାନ ଆମେ
ଗୋଟେ ସୂତାରେ ଗୁନ୍ଥା
ଦୁଃଖ ସୁଖରେ ସାଥି ହୋଇ କି
ଚାଲୁଛୁ ଆମେ ପନ୍ଥା ।
ଶିଖାଇ ଅଛି ଏକତା ସିଏ
ବିଶ୍ବାସ ସବୁ ହୃଦୟେ ଦିଏ
ନାହିଁ ଛଳନା କପଟଭାବ
ନାହିଁରେ ଅବିଶ୍ବାସ ।
ପବିତ୍ର ମୋର ଜନ୍ମଭୂମି
ଏଇ ଭାରତ ବର୍ଷ ।
ତାହାରି କୋଳେ କରିଛୁ ବାସ
ସିଏ ଆମରି ମାଆ
ଚାଲି ଶିଖିଛୁ କଥା କହୁଛୁ
ଦେଖୁଛୁ ଏ ଦୁନିଆ ।
ସରଗ ପରି ସୁଷମା ଭରା
ଦିବ୍ୟ ଭୂମିଟି ଇଏ
ଶତ୍ରୁ ମିତ୍ରର ଭାବନା ନାହଁ
କୋଳେଇ ସିଏ ନିଏ ।
ଏମିତି ମାଆ ଜଗତେ ନାହିଁ
ସନ୍ତାନ ତାର ଜୀବନ ତହିଁ
ସେଇ ସନ୍ତାନ ତା କୋଳେ ଶୋଇ
ଛାଡେରେ ଶେଷ ନିଃଶ୍ବାସ ।
ପବିତ୍ର ମୋର ଜନ୍ମଭୂମି
ଏଇ ଭାରତ ବର୍ଷ ।
