ମାତୃଭାଷା ଓ ମାତୃଭୂମିର ମମତା
ମାତୃଭାଷା ଓ ମାତୃଭୂମିର ମମତା
ମାତୃଭାଷା ଆଉ ମାତୃଭୂମି ଦୁହେଁ
ସରଗଠୁ ଉଚ୍ଚ ଜାଣ
ତେଣୁ ସର୍ବେ ଆସ ଏକତ୍ର କରିବା
ମାତୃଭାଷା ଜୟଗାନ ||
ଆମେରେ ଓଡିଆ ଘର ଓଡିଶାରେ
ମାତୃଭାଷାଟି ଓଡିଆ
ପ୍ରତି ଓଡିଆର ମୁଖରୁ ନିଃସୃତ
ଆମ ଭାଷାଟି ବଢିଆ ||
ଶାସ୍ତ୍ରୀୟ ଭାଷା ଏ ଅତି ପୁରାତନ
ଏକ ଭାରତୀୟ ଭାଷା
ଓଡିଶୀ ସଙ୍ଗୀତ ବିଶ୍ବରେ ବିଖ୍ୟାତ
କଳାର କ୍ଷେତ୍ର ଓଡିଶା ||
ଯିଏ ଯେଉଁଠାରେ ରହିଥାଉ ପଛେ
ରାଜ୍ୟକୁ ଭୁଲିବା ନାହିଁ
ଆମ ମାତୃଭାଷା ଓଡିଆ ଭାଷାକୁ
କେବେ ବି ଭୁଲିବା ନାହିଁ||
ଏହାର ପ୍ରଚାର ଏହାର ପ୍ରସାର
ଲାଗି ହେବା ଯତ୍ନବାନ
ଏହାର ଉନ୍ନତି ଏହାର ପ୍ରଗତି
ପାଇଁ ଦେବା ଯୋଗଦାନ ||
ଏ ଜାତି ବଢିବ ଆଗକୁ ଆଗକୁ
ସମୃଦ୍ଧ ହେଲେ ତା' ଭାଷା
ମଥା ଟେକି ଆମେ କଥା କହି ପାରି
ପୂରଣ କରିବା ଆଶା ||
ରାଜ୍ୟ ଭାଷା ଭାବେ ସ୍ବିକୃତ ହୋଇଛି
କହିବାକୁ କିଆଁ ଲାଜ
ଓଡିଆ ଭାଷାରେ ଲେଖିବା ପଢିବା
ଆଗକୁ ବଢିବା ଆଜ ||
ସରକାରୀ କାର୍ଯ୍ୟ ଓଡିଆ ଭାଷାରେ
କରିବାରେ କୁଣ୍ଠା କିମ୍ପା?
ଓଡିଆ ଭାଷାର ଅଧ୍ୟୟନ ଲାଗି
ଅବହେଳା କର କିମ୍ପା?
ଓଡିଶାରେ ଥିବା କେନ୍ଦ୍ରୀୟ ସ୍କୁଲରେ
ଓଡିଆ ଶିକ୍ଷକ ନାହିଁ
ସେଠାରେ ଓଡିଆ ଓଡିଆ ନପଢି
ହିନ୍ଦୀ ପଢେ ସେଥିପାଇଁ ?
ସ୍ନାତକ ସ୍ତରରେ ଓଡିଆ ସମ୍ମାନ
ପ୍ରତି କିମ୍ପା ଅନାଦର
ଉଚ୍ଚ ବିଦ୍ୟାଳୟେ ଓଡିଆ ଭାଷାକୁ
କର କିମ୍ପା ହତାଦର ?
ଓଡିଆ ଭାଷାକୁ ପଢାଇବା ଲାଗି
ଅଭିଜ୍ଞ ଶିକ୍ଷକ ନାହିଁ
ଇତିହାସ ଅବା ଭୂଗୋଳ ସ୍ନାତକ
ଓଡିଆ ପଢାଉ ଥାଇ ||
ଓଡିଆ ଭାଷାର ସାମାନ୍ୟ ଜ୍ଞାନ ଯେ
ଶିକ୍ଷକ ପାଖରେ ନାହିଁ
ସେ ଶିକ୍ଷକ ଯଦି ଓଡିଆ ପଢାଏ
ଛାତ୍ର ବୁଝିପାରେ ନାହିଁ||
ଓଡିଆ ଭାଷାରେ ତାମନେ ଆଗ୍ରହ
କିପରି ଜନ୍ମିବ ଭାଇ
ଓଡିଆ ଭାଷାକୁ ଯଦି ଠିକ୍ ଭାବେ
ସିଏ ବୁଝିପାରୁ ନାହିଁ ||
ସଂସ୍କୃତ ଭାଷାକୁ ପଢାଇବା ଲାଗି
ସଂସ୍କୃତ ସ୍ନାତକ ଦିଅ
ଓଡିଆ ସମ୍ମାନ ସ୍ନାତକକୁ କିମ୍ପା
ଓଡିଆ ଶିକ୍ଷକ ନୁହଁ ||
ସଂସ୍କୃତ ଭାଷା କି ଓଡିଆ ଭାଷାଟି
କାହାର ଗୁରୁତ୍ବ ବେଶି
ବିଚାର କର ହେ ବିଜ୍ଞ ଜନଗଣ
ଦିିଅ ନାହି ମୋତେ ହସି ||
ଓଡିଆ ନଜାଣି ସଂସ୍କୃତ ହିନ୍ଦୀରେ
ଦକ୍ଷତା ଆସିବ କାହିଁ
ଏହି କଥା ଟିକ କାହାରି ମୁଣ୍ଡରେ
କିମ୍ପା ମୋଟେ ପଶୁ ନାହିଁ ||
କାହାରି ଉଦବେଗ କା'ର ପ୍ରତିବାଦ
କୁହ ତେବେ କିମ୍ପା ନାହିଁ
ଆମ ମାତୃଭାଷା କିପରି ଆଗକୁ
ବଢିବ କୁହ ହେ ଭାଇ ||
ଭାଷା ପ୍ରତିଷ୍ଠାନ ଗଢିଦେଇ ବସ
ଗବେଷକ ଦିଅ ନାହି
ଅଭିଜ୍ଞ ଶିକ୍ଷକ ନିଯୁକ୍ତି ନଦେଲେ
ପ୍ରତିଷ୍ଠାନ ମୂଲ୍ୟ ନାହିଁ ||
ଜାଗରେ ଓଡିଆ ଜାଗ ଆଜି ତୁମେ
ହୁଅନି ତୋଷାମଦିଆ
ଓଡିଆ ଭାଷାର ଉନ୍ନତି ନିମିତ୍ତ
ଲାଠି ଧରି ହୁଅ ଠିଆ ||
ଭାଷାର ଉନ୍ନତି ଜାତିର ଉନ୍ନତି
ଚାବିକାଠି ଅଟେ ଜାଣ
ସ୍ବାର୍ଥପରତାରୁ ଉପରକୁ ଉଠ
କରୁଅଛି ନିବେଦନ ||
ଉଚ୍ଚ ହେବାପାଇଁ ଯଦି ତୁମେ କେହି
କେବେ କରୁଥାଅ ଆଶା
ଭାଷା ଆନ୍ଦୋଳନେ ସାମିଲ୍ ହୋଇଣ
ଉଚ୍ଚ କର ମାତୃଭାଷା ||
ଆମ ମାତୃଭାଷା ଆମ ମାତୃଭୂମି
ଦୁହେଁ ଜାଣ ଆମ ମାଆ
ଦୁହିଁଙ୍କର ପ୍ରତି ହୃଦୟେ ସମ୍ମାନ
ସଦା ତୁମେ ରଖି ଥାଆ ||
ମାତୃଭାଷା ଆଉ ମାତୃଭୂମି ପ୍ରତି
ଯା' ହୃଦେ ମମତା ନାହିଁ
ଯେତେ ଉଚ୍ଚଶିକ୍ଷା ପାଇଥାଉ ପଛେ
ଜ୍ଞାନୀ ଗଣ୍ୟ ହେବ ନାହିଁ ||
