STORYMIRROR

Koushik Lenka

Classics Others

3  

Koushik Lenka

Classics Others

ମାପ

ମାପ

1 min
251

ବୋଉ! ଶୁଣନା,

ତୁ ନଥିଲା ବେଳେ

ତୋ ମାପ ଫିତା ନେଇ

ଲୁଚି ଲୁଚି ଆଜି ମାପୁଥିଲି।

ହେଲେ ପାରିଲିନି;

କ'ଣ ଜାଣୁ

ଏଇ ଅଧାଜଳା ଦେହ ଭିତରର

ଦରଜ ର ଦୈର୍ଘ୍ୟ ସବୁ...।।


ଜେଜେ! ଟିକେ ଆସତ,

ଗାଁ ବୁଲା ସାରି

ଫେରିଲା ପରେ ତମେ ଯ‌ଉ

ପାଦ ଧୋଇଦିଅ ଆଜି ତମେ

ଫେରିବା ଆଗରୁ

ମୁଁ ଯାଇଥିଲି ହେଲେ ପାରିଲିନି।

କ'ଣ ଜା'ଣ ଏଇ

ଆଖି ତଳ କଳା ଦାଗ;

ମଗେ ପାଣି ବି ନିଅଣ୍ଟ ପଡ଼ିଗଲା...।।


ଜାଣିଛ ବାପା!

ବୋଧହୁଏ ତରତରରେ

ଆଜି ତମେ ପାଗ ନ ଭିଡ଼ି,

ନୂଆ ଧାନ ଦେଖିବାକୁ ବାହାରିଗଲ।

ଖଟ~ବାଡ଼ ରେ ଦୋହଲୁଥିବା

ତମ ଫିକା ଖୋର୍ଦ୍ଧା ଗାମୁଛା କୁ ନେଇ

ଅଣ୍ଟି ରେ ବାନ୍ଧୁଥିଲି ଯେ

ପାଇଲାନି।

ଏ ପାଦ ଆଉ ପିଣ୍ଡ କୁ ପୃଥକ୍

କରୁଥିବା ପେଟର

ପ୍ରସ୍ଥ କ'ଣ ଏତେ ବେଶି.....।।


ଦେଇ!

ଜାଣିଛୁ ତୁ ବାନ୍ଧିଥିବା

ଜଗନ୍ନାଥ ରାକ୍ଷୀ ର ଜଗନ୍ନାଥ

ଛବି ଟା ପାଣିରେ ଧୋଇ ହେଇ ଯାଇଛି।

ହେଲେ ଫିତା ଟା ଥିଲା,

ତା'କୁ ନେଇ ମାପୁଥିଲି ଯେ

ଅଧା ରେ ଛିଣ୍ଡିଗଲା।

ସତରେ! କ'ଣ ଏତେ ଦୂର

ମୋ ସହରର ଧୂଳି ଧୂସରିତ ଜୀବନ

ରୁ ଆମ ଗାଁ ମଶାଣି....।।


ଏଲକସ୍ ର କଲମ ଟାଏ

ନେଇ ଯାଇଥିଲି ସାର୍ ଆପଣଙ୍କ ପାଖକୁ।

ଦେଖିଲି, ଆଜିବି ସେମିତି

କୋଣରେ ଡେରା ହେଇଛି, ସେ

ଥକା ମେଣ୍ଟ‌ଉଥିବା "ବେତ"।

ଶେଷ ଆଶା ମୋର ସିଏ ହିଁ ଥିଲା।

ଧରା ଦ‌ଉନଥିବା

ଶବ୍ଦ ଗୁଡ଼ା ଙ୍କୁ ଜବତ୍ କରିବାକୁ

ଚାହୁଁଥିଲି।

ହେଲେ ଫର୍ଦ୍ଦେ କାଗଜ ବି

ପୁରା ହେଇଗଲା ଅଧା କଥା ରେ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics