ମାଣିକକୁ ଦେଏ ଆଣି
ମାଣିକକୁ ଦେଏ ଆଣି
ନେତ୍ରମଣି ମୋର ହମା ହମା ଡାକ
ପକାଉଛି ଗୁହାଳରେ,
କୁନି ବାଛୁରୀ ତା' ରହିଗଲା କାହିଁ
ଦେଖିଛ କେ କୁହ ବାରେ ।
କୁରଙ୍ଗୀ ଭଳି ତା' ଢଳ ଢଳ ଆଖି
ତରକି ମାରଇ ଚିରା,
ପାଟଳି ପରାୟ ବରନ ତାହାର
ମୁହଁର ଚାନ୍ଦଟି ତୋରା ।
ମାଆ ଠାରୁ ତା'ର କ୍ଷୀର ପିଉଥିଲା
ଦେଖିଲେ ଗୋପାଳ ପିଲା,
ଆ' ଆ' କହି ଡାକିଲାରୁ ତାକୁ
ଲାଞ୍ଜ ଟେକି ଦଉଡ଼ିଲା ।
ଜାବୁଡ଼ି ଧରିକି ଗେଲ କଲେ କେତେ
'ମାଣିକ' ଚାଟିଲା ଦେହ,
କଅଁଳିଆ ଘାସ ଖୋଉଥିଲେ ଆଣି
ଏବେ କେଣେ ଗଲା କୁହ !!
ବିକଳରେ ତା'ର ମାଆ ଡାକୁଅଛି
ଖାଉନାହିଁ ଦେଲେ ଯାହା,
ଏ ବିପତ୍ତି ବେଳେ କହ୍ନେଇରେ ତୁହି
ଏକା ଅଟୁ ମୋର ସାହା ।
ନେତ୍ରମଣି ଚିନ୍ତା ଲାଗିଲାରେ ତୋତେ
ମାଣିକକୁ ଦେଏ ଆଣି,
ସର ଲବଣୀ ଯା' କହିବୁରେ ସବୁ
ଖୁଆଇବି ମନ ଜାଣି ।