ମାନମୟୀ ଚାରୁ ଶିଳା
ମାନମୟୀ ଚାରୁ ଶିଳା
ପୁଲକିତ ମନ ପରାଣ ପବନ
ସୁଧାଂଶୁ ଲପନା ଛଇଳା
ରୂପ ଦେଖି ସଖୀ ମନ ଗଲା ଲାଖି
ସତେକି ଜୀମୂତେ ଚଞ୍ଚଳା
ଅବଳା,
ମନ କିଣେ ପ୍ରୀତି କୁଶଳା
ସେ ମୋ ପ୍ରାଣ ସଖୀ ତାର ନୀଳ ଆଖି
ମନପ୍ରାଣ କରେ ଉତ୍ତଳା
ଅବଳା
ମନ କିଣେ ପ୍ରୀତି କୁଶଳା ।।
କନକ ବରନୀ ପ୍ରେମ ମନ୍ଦାକିନୀ
ସୁନୀଳ ତରଙ୍ଗ ମାଳା
ନିଥର ପରାଣେ ପ୍ରବାହିତେ କ୍ଷଣେ
କେତେ ରଙ୍ଗେ କରେ ଖେଳା
ସୁଶିଳା,
ମାନମୟୀ ଚାରୁ ଶିଳା
ସେ ମୋର ସଜନୀ ମୋ ପ୍ରାଣ ଭାମିନୀ
ମନପ୍ରାଣ କରେ ଉତ୍ତଳା
ସୁଶିଳା
ମାନମୟୀ ଚାରୁ ଶିଳା ।।
ଆକାଶ କୁସୁମ ପୀୟୂଷ ଝରଣ
ଗୋ-ଖୀର ବରନା ଅବଳା
ମୋ ଆଖି ର ଜ୍ଵୋତି କନକ ମୂରତି
ରୁଣୁଝୁଣୁ କଟି ମେଖଳା
“ବାଉଳା
କରେ” ପ୍ରୀୟବତୀ ମଞ୍ଜୁଳା
ବାଶବ କାର୍ମୁକ ରଙ୍ଗେ ରଙ୍ଗେଇ ସେ
ମନ ପ୍ରାଣ କରେ ଉତ୍ତଳା
“ବାଉଳା
କରେ” ପ୍ରୀୟବତୀ ମଞ୍ଜୁଳା ।।

