ମାନବିକତା
ମାନବିକତା
ଭାରତୀୟଙ୍କର ଉପଲବ୍ଧି ଥିଲା
ମାନବିକତାର ମର୍ମ,
ଉଦାର କଣ୍ଠରେ ଗାଇଥିଲା ଦିନେ
ବସୁଧୈବ କୁଟୁମ୍ବକଂ |
ମଣିଷ ଜନମ ପୃଥିବୀରେ ଶ୍ରେଷ୍ଠ
ସବୁ ଜୀବଠାରୁ ଭିନ୍ନ,
ଆକାଶ ପରି ଯେ ଅସୀମ ଗମ୍ଭୀର
ପାଇଛି ହୃଦୟ,ମନ |
ପରକୁ ନିଜର କରିପାରେ ସିଏ
ଆଦର ମମତା ଢାଳି,
ବିଶ୍ୱ ପ୍ରୀତିରେ ସେ ନିମଗ୍ନ ସର୍ବଦା
ଦେଇଥାଏ ଆତ୍ମବଳି |
ପର ଦୁଃଖେ ଦୁଃଖୀ ପର ସୁଖେ ସୁଖୀ
ହୋଇ ହସେ କାନ୍ଦେ କେବେ,
ସାହାଯ୍ୟର ହାତ ଲମ୍ବିଯାଏ ତାର
କେହି ବି ବିପଦେ ଯେବେ |
ପରସ୍ପରେ ସ୍ନେହ ସୌହାର୍ଦ୍ଦ୍ୟ ଭିତରେ
ଗଢ଼ିଥିଲେ ଭାଇଚାରା,
ଇର୍ଷା ଦ୍ୱେଷ ଭାବ ନଥିଲା ମନରେ
ସରଗ ସମାନ ପରା |
ଆଜି ଦୁନିଆରେ ନାହିଁ ମଣିଷର
ହୃଦୟେ ମାନବିକତା,
ଗର୍ବ ଅହଙ୍କାରେ ଉନ୍ମତ ହୋଇ ସେ
ଭୁଲିଛି ମଣିଷ ସତ୍ତା |
ପରଶ୍ରୀକାତର ହୋଇ ଜୀବନକୁ
କରୁଛି ଯନ୍ତ୍ରଣା ମୟ,
ଵୁଝି ବି ଅବୁଝା ଜୀବନର ଅର୍ଥ
ପାପ ପାଇଁ ନାହିଁ ଭୟ |
ପିତାମାତା ଅବା ପତ୍ନୀ ସହୋଦରେ
ସମ୍ପର୍କର ସେତୁ ଭାଙ୍ଗେ,
ସନ୍ଦେହ ବଳୟେ ଜୀବନର ଧାରା
ବେଦନା କେବଳ ମାଗେ |
ବିଶ୍ୱରେ ଭରୁଛି ଅମାନବିକତା
ଧର୍ମ ନାମେ ସମ୍ପ୍ରଦାୟ,
ମାନବିକତାକୁ ଜଳାଞ୍ଜଳୀ ଦେଇ
ଭାବେ ମନେ ସେ ଅଜେୟ |
ଏମିତି ଜୀବନେ ବଞ୍ଚିବାର ମୂଲ୍ୟ
ମିଳିବ ନାହିଁ ଯେ କେବେ,
କେହି ଖୋଜିବେନି ତୁମକୁ ଜଗତେ
ମରଣ ଆସିବ ଯେବେ |
