ମାନବ ପ୍ରେମ
ମାନବ ପ୍ରେମ
ମଣିଷ ଜୀବନ ଥରଟେ ଲଭିଛ
ଈଶ୍ୱର ଆଶିଷ ବଳେ
ସେଇ ଥରକ ବି ଯଥେଷ୍ଟ ହୋଇବ
ସତ୍ କର୍ମ କରିଗଲେ||
ସବୁ ମଣିଷର ରକତ ସମାନ
ସର୍ବେ ଈଶ୍ୱର ସନ୍ତାନ
ତେବେ କହ ଭାଇ ଜାତି ଧର୍ମ ନାମେ
କର କିମ୍ପା ବିଭାଜନ||
ମସଜିଦ୍ ଗୀର୍ଜା ମନ୍ଦିର ବିହାର
ଭାବ କେହ୍ନେ ଅସମାନ
ଈଶ୍ୱରଙ୍କ ସତ୍ତା ଅନୁଭବ ଲାଗି
ଉଦ୍ଦିଷ୍ଟ ଅଟେ ସେ ସ୍ଥାନ||
ମସଜିଦ୍ ଗୀର୍ଜା ମନ୍ଦିର ବିବାଦ
ତେବେ କୁହ କିସ ପାଇଁ
ଈଶ୍ୱର କେବଳ ସେଠାରେ ରହନ୍ତି
ତାହାର ପ୍ରମାଣ ନାହିଁ||
ଜଳ ସ୍ଥଳ ବ୍ୟୋମ ଗିରି ବନ ଦେଶ
ସବୁଠି ବିଭୁ ପ୍ରକାଶ
ସକଳ ଘଟରେ ବିଜେ ନାରାୟଣ
ପରମାତ୍ମାଙ୍କ ନିବାସ ||
ନିଜ ଅନ୍ତରରେ ଇଶ୍ୱରଙ୍କ ସତ୍ତା
ଅନୁଭବ କର ତୁମେ
ଚିନ୍ତା ଚୈତନ୍ୟକୁ ବିଭୁ ଅଭିସାରୀ
ତରଙ୍ଗ କରହେ ତୁମେ||
ଈଶ୍ୱରୀୟ ଗୁଣ ତୁମରି ମଧ୍ୟରେ
ଭରିଦିଅ ଆଗ୍ରହରେ
ପ୍ରତି ପ୍ରାଣୀ ଦେହେ ପରମାତ୍ମା ସତ୍ତା
ଅନୁଭବ କର ବାରେ||
ସମଗ୍ର ଜଗତ ଈଶ୍ୱରଙ୍କ ସୃଷ୍ଟି
ସବୁଠି ଥାଆନ୍ତି ସିଏ
ନିରାକାର ସିଏ ନିରାଧାର ନୁହେଁ
ଭକତିରେ ବନ୍ଧା ସିଏ||
ସୃଷ୍ଟି ଯାହାଙ୍କର ଉଜ୍ଜ୍ୱଳ ଆଲୋକେ
ସେ କି ଅନ୍ଧକାରେ ରହେ?
ମନ୍ଦିର ଭିତର ଅନ୍ଧାର ଭିତରେ
କାହାକୁ ତୁମେ ଖୋଜ ହେ??
ଈଶ୍ୱର ସୃଷ୍ଟିର ସର୍ବ ଶ୍ରେଷ୍ଠ ପ୍ରାଣୀ
ତୁମେ ଅଟ ହେ ମାନବ
ପ୍ରତିଟି ମାନବେ ପ୍ରେମ କର ରଖି
ମାନବୀୟ ମନୋଭାବ||
ପ୍ରେମ ତ ଶାଶ୍ୱତ ପ୍ରେମ ଚିରନ୍ତନ
ପ୍ରେମ ଅଟଇ ଅମର
ମାନବ ପ୍ରେମର ବୈଜୟନ୍ତୀ ଉଡୁ
ଶାନ୍ତି ମୈତ୍ରୀ ବନ୍ଧୁତ୍ୱର||
ଏଇ ପୃଥିବୀରେ ମଣିଷ ଜୀବନ
କରମର ସମାବେଶ
ଏନ୍ତୁଡି ଶାଳରେ ଆରମ୍ଭ ତାହାର
ଶ୍ମଶାନରେ ତା'ର ଶେଷ||
ଜନ୍ମରୁ ମୃତ୍ୟୁର ଅବଧି ଭିତରେ
ଈଶ୍ୱର ଯୋଜନା ମତେ
ସତ୍ କର୍ମମାନ କରିବାକୁ ହେବ
ସତ୍ୟ ଧର୍ମ ନ୍ୟାୟ ପଥେ ||
ଜୀବନ ଅବଧି ଗଣା ହୁଏ ସିନା
ବର୍ଷ ମାସ ଦିନ ଦଣ୍ଡେ
କରମର ବଳେ ବଞ୍ଚିପାରେ ନର
ଚିରକାଳ ଏ ଭୂଖଣ୍ଡେ ||
ତେଣୁ ହେ ମାନବ ମାନବୀୟ ଭାବ
ସର୍ବଦା ହୃଦୟେ ବହି
ପ୍ରତି ମାନବକୁ ସମାନ ମଣିଣ
ଭେଦ ଭାବ ରଖ ନାହିଁ ||
ଧର୍ମର ନାମରେ ଅଧର୍ମ ଆଚରି
ବିଭୁ ଲାଭ ହୁଏ ନାହିଁ
ସକଳ ଧର୍ମର ଆଦର କରିଲେ
ବିଭୁ କୃପା ମିଳେ ଭାଇ ||
ସଭିଙ୍କ ମାଲିକ ଅଟନ୍ତି ଈଶ୍ୱର
ସଭିଏଁ ତାଙ୍କ ସନ୍ତାନ
ତାଙ୍କରି ନିର୍ଦ୍ଦେଶେ ଜଗତ ଚଳୁଛି
ସେ ନିର୍ଦ୍ଦେଶ ତୁମେ ମାନ||
ସତ୍ୟ ଧର୍ମ ପଥେ ଦେଇ ମନ ପ୍ରାଣ
ସତ୍ କର୍ମେ ଦିଅ ମନ
ଅସତ୍ ଅଧର୍ମ କାର୍ଯ୍ୟରୁ ନିଃବୃତ୍ତ
ହୁଅ ସର୍ବେ ଜନଗଣ||
ପ୍ରତି ମାନବକୁ ମାନବ ଭାବରେ
ସମ୍ମାନ ଦିଅ ସର୍ବେ
ମାନବର ସେବା ମାଧବଙ୍କ ସେବା
ଭାବି ସେବା କର ସର୍ବେ||
ମାନବ ଜୀବନ ଲଭିଛ ଭୂଖଣ୍ଡେ
କେତେ ଯେ ଜନମ ପରେ!
ସେହି ଜନମକୁ ଶ୍ରେଷ୍ଠତ୍ୱ ଦିଅ ହେ
ଭବ ରଙ୍ଗମଞ୍ଚ ପରେ||
ବିଭୁଙ୍କ ରଚିତ ଜୀବନ ନାଟକେ
ନିଜ ଅଭିନୟ କର
ନିଜ ଅଭନୟ ଠିକ୍ ଭାବେ କରି
ଲଙ୍ଘ ଭବ ପାରାବାର ||
