ମାଁ
ମାଁ
ଯାହାର କୋଳରେ ଜନମ ମୋହର
ସିଏ ପରା ମୋର ମାଆ
ଜୀବନରେ କେବେ ଭୁଲି ପାରିବିନି
ତାହାରି ମହାନ ନାଆଁ ।
କୋଳରେ ତାହାର ବଢ଼ିଛି ଖେଳିଛି
ପାଇଛି କେତେ ସେନେହ
ଦେଇଛି ଯେ ସତେ ନିଶ୍ଵାସ ପ୍ରଶ୍ଵାସ
ପୁଣି ବଞ୍ଚିବାର ମୋହ ।
ତା ହାତ ଧରି ମୁଁ ଚାଳିବା ଶିଖିଲି
ମୁହଁ ଲୁଚେଇ ପଣତେ
ତା ଠାରୁ ସତରେ ବଡ଼ କେହି ନାହିଁ
ଏ ମିଛ ମାୟା ଜଗତେ ।
ଦୁନିଆକୁ ମୋତେ ଘେନି ନେଇ ଆସି
କରିଛି କେତେ ପାଳନ
ଗଢିଛି ତୋଳିଛି ବହୁ ଯତନରେ
ଲଗେଇ ନିଜ ଜୀବନ ।
ଭୋକ ଓପାସରେ ନିଜେ ଥାଇ ପଛେ
ଦିଏ ମୋ ପେଟରେ ଦାନା
ନିଜ କଥା ଭାବେ ନା ଭାବେ ମୋ କଥା
କରି ବିଷ୍ଣୁ ଙ୍କୁ ପ୍ରାର୍ଥନା ।
ସବୁବେଳେ ସଦା ଭଲ କଥା କହି
ଗଢିଛି କେତେ ଆଦରେ
ମାଡ଼ ଗାଳି ଠାରୁ ଅଳି ଅଝଟକୁ
ସହି ନିଏ ସେ ଖୁସିରେ ।
ପ୍ରତି ମୂହୁର୍ତ୍ତରେ ମଙ୍ଗଳ କାମନା
କରିଥାଏ ତ ମୋ ପାଇଁ
ଠାକୁରଙ୍କ ଠାବେ ପୂଜାପାଠ ବ୍ରତ
କରେ ମନପ୍ରାଣ ଦେଇ ।
ମୋ ପାଇଁ ତା'ର ଚିନ୍ତା ଯେ ଅଧିକ
ଗଢ଼ିବାକୁ ଭଲ ନର
ସତ୍ ପଥେ ସଦା ନେଇଥାଏ ଡାକି
ହାତ ଧରି ସତେ ମୋର ।
ସ୍ନେହ କରୁଣାମୟୀ ଅଟଇ ମୋ ମା
ପୁଣି ସେ ମମତାମୟୀ
ତା କୋଳ ସତରେ ଆନନ୍ଦ ଭଣ୍ଡାର
ଅଟେ ସେ ଆନନ୍ଦଦାୟୀ ।
ଅଟଇ ସିଏ ମୋର ପ୍ରଥମ ଗୁରୁ
ତା ସେବାରେ ଥିବ ପ୍ରାଣ
ରଙ୍ଗମଞ୍ଚେ ଥିବା ଯାଏ କରୁଥିବି
ତା ପାଦେ କୋଟି ନମନ ।
