ମାମୁଁଘରେ ଖରା ଛୁଟି
ମାମୁଁଘରେ ଖରା ଛୁଟି
ଖରା ଆସିଗଲେ ମନେ ପଡ଼ିଯାଏ
ମାମୁଁ ଘରେ ଖରା ଛୁଟି
ଅତି ଆନନ୍ଦରେ କିଛି ଦିନ ମୋର
ଯାଉଥିଲା ତହିଁ କଟି ।
ପାଠପଢ଼ା ଚିନ୍ତା ମନରୁ ପାଶୋରି
ଖେଳୁଥିଲି ସାଥିମେଳେ
ଶୁଣୁଥିଲି କେତେ ଗୀତ ଗପ ମୁହିଁ
ବସିଯାଇ ଆଈକୋଳେ ।
ଅଜା ଦେଉଥିଲେ ଆଇସିକିରିମି
ଚକୋଲେଟ ଭଲିଭଳି
ସକାଳ ସଞ୍ଜରେ ବୁଲୁଥିଲି କେତେ
ଧୀରେ ଧୀରେ ପାଦେ ଚାଲି ।
ମାମୁଁ ନେଉଥିଲେ ବଜାରକୁ ସାଥେ
ଲାଗୁଥିଲା ଭାରି ମଜା
ନାନା ପ୍ରକାରର ଖେଳନା ସହିତ
ଦେଉଥିଲେ ବାରମଜା ।
ଭାଇଭଉଣୀଙ୍କ ସହ ଖାଉଥିଲି
ପାଚିଲା କେତେ ଯେ ଆମ୍ବ
ସେହିମିଠା ଆଜି ଏ ଯଉବନେ
କିଏ ଆଉ ଆଣିଦେବ ?
