ମାମା
ମାମା
ଖୁବ୍ ଜିଦ୍ଦିଖୋର୍
କାନ୍ଦୁଥିଲା ମୋ' ଅଗଣାରେ
ବୋଧେ ମୋ' ଭାଗ୍ୟରେ ନାହିଁ
ତମର ସ୍ପର୍ଶ
ସେଇଥିପାଇଁ ତ ବିମର୍ଷ ।
କେତେ ଆଶା ଆକାଂକ୍ଷା
ସ୍ମୃତି ବିଜଡ଼ିତ ଅଧୁରା ସ୍ବପ୍ନ ସବୁ
କେତେ ଓଷାବ୍ରତ
ତ୍ୟାଗ ଆଉ ତପସ୍ୟା ର ଫଳ
ଦୂରରେ ଥିଲେ ବି ଭଲରେ ରୁହ
ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ।
ଆଉ ସମୟ ଆସିବନି
ଭଙ୍ଗା ମନ ଯୋଡ଼ି ହେବନି
ତମେ ହୁଏତ ଆସିପାର
ମାତ୍ର ମୁଁ ନଥିବି ପାଖରେ କି
ତମ ଛୁଆଁ, ଖଣ୍ଡିଖଣ୍ଡି କଥା କୁହା
ଅଳି ଅର୍ଦ୍ଦଳି କାନ୍ଦ ହେଉକି
ତମର ସେ ଆନନ୍ଦମୟ ହସ
ଚାଲାକ୍ ପଣ ର ବିଶ୍ଲେଷଣ ବି ହେବନି ।
ତମେ ମୋତେ ଦୂରେଇ ଦେଇନ
ମୋ' ଆତ୍ମା କେବେ ଦୂରେଇ ପାରିବନି ତମକୁ
ମାତ୍ର
ସବୁଦିନ ପାଇଁ ମଙ୍ଗଳ ମନାସୁଥିବି
ଦୂରେ ଥାଇ ପାଖର ଅନୁଭବୀ ହୋଇ
ଗୁହାରି କରୁଥିବି
ତେତିଶ କୋଟି ଦେବତାଙ୍କ ଚରଣରେ
କାହାପାଇଁ ନୁହଁ
ବରଂ ମୋ' ପାଇଁ
ମୋ' ଭଗବତୀର ଅଳ୍ପ ଦିନର ଗଳ୍ପ
ସ୍ମୃତି ସବୁକୁ କାହାଣୀ କରି
ପରଖୁ ଥିବି ଏକାନ୍ତରେ ।
ରିଦ୍ଧି
ମୋ' ପ୍ରାଣ
ଜାଣେନା ତା'ର ମନେ ରହିବ କି ନା
ସେ ବି ବଞ୍ଚିତ
ତମ ସ୍ନେହବୋଳା ଚୁମ୍ବନରୁ
ତମ ହାତର ଯାଦୁଗରୀ ଛୁଆଁ ରୁ
ଆଉ ଆପଣାପଣର ଖିଅ
ଯେତେ ମନେ ପକାଇଲେ ବି ମନେ ପଡୁଥିବ ତା'ର
ଆମେ ସବୁଦିନ ପାଇଁ ଦୋଷୀ ହୋଇ ରହୁଯିବୁ
ତାର ସେହି ନିରିମାଖି ଚାହାଣୀରେ ।
ନା ତମେ ମନେ ପକେଇ ପାରିବ
ନା ମୋ' ମନେ ପକାଇବାରେ ମୂଲ୍ଯଥିବ
ଆମ ସମ୍ପର୍କ
ମୂଲ୍ୟହୀନ ସୁତାଖିଏ ମାତ୍ର
ଖାସ୍ ସ୍ବାର୍ଥନ୍ବେଷୀ ମଣିଷମାନଙ୍କ ପାଇଁ ।
ହଜିବାକୁ କିଏ ଭଲପାଏ
ହଜେଇବାରେ ଥାଏ ଦୁଃଖ ଆଉ ଦୁଃଖ
କିଏ କାହାର ଗୋଲାମୀ କରେ
କିଏ ଚାହେଁ ଲାଭ ଆଉ କ୍ଷତି
ଏଠି ଟଙ୍କା ନଥିଲେ ,
ଏଠି ସ୍ବାର୍ଥ ନଥିଲେ ,
ମଣିଷ, ମଣିଷ ଚିହ୍ନେ ନା
ମାନବିକତାର କବର ଖୋଳନ୍ତି
ଆପଣା ମଣିଷ
ଖାସ୍ ମିଛ ବାହାଦୂରୀ ପାଇଁ ।
ନିରୁତା ଭଲପାଇବାରେ
କଳଙ୍କିତ ଇତିହାସ ଲେଖାଯାଏ
ଦେହ ଠୁ ମନ ଅଲଗା ହୁଏ
ବୋଧେ
ଈଶ୍ବରଙ୍କ ଇଚ୍ଛା ଠୁ ବି
ମଣିଷ ର ଇଚ୍ଛା ଆହୁରି ସୁଦୃଢ଼ ଆଉ ବେଶ୍ ଭୟଙ୍କର ।
କାଲି ଆଉ ଆଜି
ତା' ଭିତରେ ଅନେକ ତଫାତ୍
ସମ୍ପର୍କ
ଏଠି ଏକ ନାଚାର ସୂତ୍ର
ଏପଟେ ବ୍ରହ୍ମହତ୍ୟା
ଆଉ ସେପଟେ ଗୋ'ହତ୍ଯା ର ବଦନାମ
ଏମିତି ଏକ ଝୁଲା ମନ
ନା କାହାକୁ ଦେଇ ହୁଏ
ନା କାହାଠୁ ନେଇ ହୁଏ
ଟିକିଏ ସ୍ନେହ
ଟିକିଏ ଭଲପାଇବା ।
ମନ ମାନୁ କି ନମାନୁ
ଆଖି କିନ୍ତୁ ଖୋଜୁଛି , ଖୋଜୁଥିବ
ତମର ସେଇ ଅଳି
ଖଣ୍ଡିଖଣ୍ଡି କଥା କୁହା ମୁହଁ
ଆଉ ପ୍ରେମଭିଜା ନିରୁତା ସେନେହ ।
