ମାଆ
ମାଆ
ମାଆ ନାମ କରିଲୁ ସାର୍ଥକ
ଗୋଟେପରେ ଗୋଟେ ଜନ୍ମଦେଇ
ହାତ ଧରି ଶିଖାଇଲୁ ଚାଲି
ଶୁଆଇଲୁ ଗୀତ ଗାଇ ଗାଇ ।
ତୋର କୋଳ ସରଗଠୁ ବଡ଼
ତୋ' ପଣତ ଅଭୟ ଦାୟିନୀ
କଥା ତୋର ଲାଗେ ଭାରି ମିଠା
ହସ ନିଏ ଆମ ମନ କିଣି ।
ସେବା କଲୁ ରୋଗ ବଇରାଗେ
ରାତି ରାତି ଉଜାଗର ହୋଇ
ଖାଇବାକୁ ସବୁ ଦେଇ ବାଢ଼ି
ନିଜେ ପଡୁ ଉପାସରେ ଶୋଇ ।
ଆମକୁ ତୁ' କରିଛୁ ମଣିଷ
ଦୁଃଖ କଷ୍ଟେ ପଢ଼ାଇଛୁ ପାଠ
କିଛି ଲୁହ ପୋଛୁ ତୋ'ପଣତେ
କିଛି ଲୁହ ପିଏ ତୋର ଓଠ ।
ତୋର ଋଣ ପାରିବୁନି ଶୁଝି
ମାଆ ମୋର ଏଇ ଜନମରେ
ଇଛା ହୁଏ ନେବାକୁ ଜନମ
ବାରମ୍ବାର ତୋହରି କୋଳରେ ।
