ମାଆ ଓ ଶାଶୁ
ମାଆ ଓ ଶାଶୁ
ମାଆ
ସ୍ନେହ ମମତାର ପସରାଟିଏ
ଅନ୍ତରେ ସାଇତି ରଖିଛି ଯିଏ
ମୂଲ ତା ଅମୂଲ ମୂଲ
ସବୁ ଚିଜ ଠାରୁ ମୂଲ୍ୟବାନ ସିଏ
କେ ନୁହେଁ ତାହାର ତୁଲ !!
ପାଇବାର ଆଶା ନ ଥାଏ ତାର
ସ୍ନେହ ପ୍ରେମ ବାଣ୍ଟେ ସେ ନିରନ୍ତର
ଥକି ଯାଏନି ସେ କେବେ
ଯେତେ ବାଣ୍ଟୁଥିଲେ ପସରାଟି ତାର
ଉଣା ହୁଏ ନାହିଁ କେବେ !!
ସବୁ ଦୁଃଖ ସହି ସଦା ଖୁସି ଥାଏ
ସନ୍ତାନର ସୁଖ ଯେବେ ଦେଖୁଥାଏ
ବାଧେନି ତାହାକୁ ଦୁଃଖ
ଦୁଃଖର ସାଗରେ ସୁଖ ନୌକା ପ୍ରାୟେ
ଲଭୁ ଥାଏ ମନେ ସୁଖ !!
ମାଆ ଆଉ ଶାଶୁ ନୁହନ୍ତି ତ ଭିନ୍ନ
ତଉଲିଲେ ତାଙ୍କୁ ହୁଅନ୍ତି ସମାନ
ମନେ ନ ଧରିଲେ ଦୋଷ
ଶାଶୁ ଚାହୁଁ ଥାଏ ବୋହୁଠୁଁ ସମ୍ମାନ
ନ ମିଳିଲେ ମନେ ରୋଷ !!
ବାପ ଘର ଛାଡି ଆସିଛି କନିଆଁ
ଶାଶୁ ଘରେ ମିଳେ ତାକୁ ମାଆ ନୂଆ
ଯେବେ ଭାବେ ନିଜ ମାଆ
ଦୋଷ ଦୁର୍ବଳତା ଘୋଡେଇ ନିଅନ୍ତି
ବୋହୁ ଝିଅ ସ୍ଥାନେ ଠିଆ !!
ଶାଶୁଙ୍କୁ ଦେଖିବ ମାଆର ପରାଏ
ସେବା ଯତ୍ନ ଠାରୁ ତା ଆଦେଶ ଯାଏ
ଖୁସିରେ ଆଦରେ ଯିଏ
ଝିଅ ଠାରୁ ବଳି ସ୍ଥାନ ପାଇଥାଏ
ଆଦରଣୀୟା ସେ ହୁଏ !!
ବୋହୂଟିର ଦୋଷ ଶାଶୁ ଯେ ନ ଧରେ
ଝିଅ ଭଳି ଭାବି ତାକୁ ସ୍ନେହ କରେ
ମାଆର ଯୋଗ୍ୟତା ପାଏ
ଭୁଲ ଦେଖିତାର ଭଲ ଶିକ୍ଷା ଦେଲେ
ମାଆଠୁଁ ବଳି ସେ ଯାଏ !!
