ବିରାଜିତ ହୁଏ ବସନ୍ତ ରାଜ
ବିରାଜିତ ହୁଏ ବସନ୍ତ ରାଜ
ପାଦପେ ପତର ପେଶିଛି ଆଜ
କୁହୁ କୁହୁ ତାନେ କୋକିଳ ସଜ
ମଧୂପ ମଧୁ ଗୁଞ୍ଜନ ବିରାଜ
ବିରାଜିତ ହୁଏ ବସନ୍ତ ରାଜ ।
ନବ କିଶଳୟେ ଲତା ଶୋଭନ
ଶୀତ ଗତ ବାତ ମୋହୁଛି ମନ
ସୁଲୁ ସୁଲୁ ବାଆ ବହୁଛି ଧୀରେ
ବସନ୍ତ ରାଜଙ୍କୁ ବ୍ୟଜନ କରେ ।
ଛାଇରେ ଲାଗୁଚି ଅଳପ ଶୀତ
ଖରା ତାତି ଲାଗେ ଭାରି ଉତ୍ତପ୍ତ
ଫୁଟିଲାଣି ଫୁଲ ଭାରି ବଢିଆ
ବନ ଉପବନ ଦିଶୁଛି ନୂଆ ।
ପେନ୍ଥା ପେନ୍ଥା ହୋଇ ଫୁଟିଛି ଫୁଲ
ମଧୂପ ଗୁଞ୍ଜନ ଅମୂଲ ମୂଲ
ସରଳ ପଥରେ ଗମନ୍ତି ରବି
ପୁଲକିତ ଧରା ସୁନ୍ଦର ଛବି ।
ଦିନ ବର୍ଦ୍ଧନରେ କୋକ ଦମ୍ପତ୍ତି
ହରଷିତ ପାଇ ପ୍ରିୟ ସମ୍ପତ୍ତି
ଋତୁରାଜ ଆଗମନୀ ବାରତା
ପ୍ରଚରିଲା ଧରା ଅମରମତା ।
ମନସିଜ ବିନ୍ଧେ କୁସୁମ ଶର
କାମି କାମିନୀ ହୋଇଲେ ଅସ୍ଥିର
ଫାଲ୍ଗୁନ ଚଇତ୍ର ବସନ୍ତ ରାଜ
କି ସୁନ୍ଦର ଧରିତ୍ରୀ ସଜବାଜ ।
ବାସନ୍ତିକ ଦୁର୍ଗାପୂଜା ଆସିବ
ତିନିଦିନ ପୂଜା ଶେଷ ହୋଇବ
ଚାଚେରୀ ଲୀଳାର ଆରମ୍ଭ ହେବ
ରାଧାମାଧବ ବିମାନ ଚଳିବ ।
ସଞ୍ଜ ନଇଁଲେ ଉଠିବ ବିମାନ
କାନ୍ଧେଇବେ ତାକୁ ଭକତ ଜନ
ଆମ୍ବ ଚଣା ଖଇ ଉଖୁଡା ଆଦି
ଖୁସିଖଜା ସହ ସବୁ ସମ୍ପାଦି ।
ଭୋଗ ଲଗାଇ ମୁଣ୍ଡେ ଫଗୁ ବୋଳି
ଭକତେ ଆନନ୍ଦରେ କୋଳାକୋଳି
ଭାଇଚାରାର ଏ ଦୋଳ ଯାତରା
ଶେଷ ହୁଏ ଦୋଳ ହୋଲିରେ ସାରା ।
ଋତୁରାଜ ଆଣେ ମନେ ହରଷ
ବସନ୍ତ ଉତ୍ସବ ବଡ ସରସ
ବସନ୍ତ ଋତୁ ସମ ଋତୁ ନାହିଁ
ଋତୁରାଜ ନାମ ବହନ୍ତି ସେହି ।
