ଶାନ୍ତି
ଶାନ୍ତି


ଜହର ଖାଇବି ଆସିଅଛୁ ଝିଅ
ବଡ଼ ଦୁଃଖୀ ଅଟୁ ତୁହି
ନିଜର ଗୋଡ଼ରେ ନିଜେ ଛିଡ଼ା ହେବୁ
ସାହା ଯେ ନ ହେବ କୈହି ।
ଜନମ ଦେଇଛି ସିନା ତୋତେ ମୁହିଁ
ଜୀବନ ଦେଇଛି ବିହି
ନିଜ କର୍ମେ ନିଜେ ରଖିବୁ ତୁ ଯଶ
ରୋକି ନ ପାରିବେ କେହି ।
ଏହି ଥିଲା ତାଙ୍କ ହୃଦୟ ବେଦନା
ମୋର ଜନନୀର ବାଣୀ
ପିଲାଟି ଦିନରୁ ଆସିଅଛି ମୁହିଁ
ଏହି କଥା ଶୁଣି ଶୁଣି ।
ପ୍ରତିକୂଳ କାଳେ ଜନମ ଲଭିଲି
ନାମ ହେଲା ପଙ୍କଜିନୀ
ପିତାମାତାଙ୍କର ଆଶିଷ ଫଳିଲା
ପଙ୍କରୁ ଯେହ୍ନେ ପଦ୍ମିନୀ ।
ହେଲା ଘରଟିଏ ହେଲେ ବରଟିଏ
ହେଲେ ଦୁଇଟି ସନ୍ତାନ
ସରକାର ଦେଲେ ଚାକିରୀ ଖଣ୍ଡିଏ
ଚରଣେ ଦଣ୍ଡାୟମାନ ।
ରହିନାହିଁ କେବେ କାହାରି ଜୀବନେ
ସୁଖ-ଦୁଃଖ ଚିରଦିନ
ଯେତିକି ପାଇଛି ଏ ଜୀବନେ ମୁହିଁ
ମୋ ପାଇଁ ଅଟେ ମହାନ ।
ତୁଚ୍ଛ ହୋଇପାରେ ଧନ ଦଉଲତ
ସାର ଯେ ସନ୍ତୋଷ ଧନ
ପିଲାଟି ଦିନରୁ ଶାନ୍ତି ମନା ହୋଇ
ଗଢ଼ି ଅଛି ଏ ଜୀବନ ।
ପିତାଙ୍କର ନାମ ଥିଲା ସତ୍ୟାନନ୍ଦ
ମାଆ ନାମ ଶାନ୍ତିଲତା
ତେଣୁ ଏ ପୁସ୍ତକ "ଶାନ୍ତି " ନାମ ବହେ
ଧନ୍ୟ ମୁଁ ତାଙ୍କ ଦୁହିତା ।