ବିଶୃଙ୍ଖଳା ଭାଙ୍ଗିଦିଏ ସମାଜ
ବିଶୃଙ୍ଖଳା ଭାଙ୍ଗିଦିଏ ସମାଜ
ସମାଜରେ ବାସ କରଇ ମଣିଷ
ଚଳଇ ଉତ୍ତମ ବୁଝାମଣାରେ
ନୀତିନିୟମର ଶୃଙ୍ଖଳାଦର୍ଶର
ପଣତେ ଅନୁବନ୍ଧିତ ଥାଏରେ ।
ଆଜି ଏ ବନ୍ଧନ ମାନବର ମନ
ଛିଣ୍ଡାଇ ଦେବାର ଚେଷ୍ଟାରେ ମାତି
ସାମାଜିକ ପ୍ରଥା କୌଳିକ ବ୍ୟବସ୍ଥା
କିଛି ମାନେ ନାହିଁ ନରଖି ଭୀତି ।
ତା'ର ଅଟ୍ଟହାସ୍ୟ କରଇ ବିବଶ
ଦୃଷ୍ଟି ପଥେ କୁଢ଼ କୁଢ଼ ସମସ୍ୟା
କପଟ, ହିଂସା, ଛଳନାର ବସା
ପ୍ରାଚୁର୍ଯ୍ୟ, ସମ୍ଭୋଗ ବୁଡାଏ ହଂସା ।
ନାରୀ ସ୍ବାଧୀନତା ନୁହଁଇ ନଗ୍ନତା
ଉଚ୍ଛୃଙ୍ଖଳତା ଦେବା ପ୍ରଶ୍ରୟ
ନିଜ ସ୍ବାଭିମାନ ନିଜେ ନରଖିଲେ
ଆଉ କିଏ କିଆଁ ଦେବ ଅଭୟ ।
ସୁନାର ସଂସାର ଭାଙ୍ଗି ଛାରଖାର
ପରକ୍ରିୟା ପ୍ରୀତି ଲାଗଇ ଭଲ
ସ୍ତ୍ରୀଟିଏ ଆଜି ଧକେଇ କାନ୍ଦଇ
ଆକୁଳ ବ୍ୟଥାରେ ପୀରତି ମୂଲ ।
ପୁଣି ନାରୀଟିଏ ନାରୀ ଶତ୍ରୁ ହୁଏ
କେତେବେଳେ ଈର୍ଷା କେବେ ପ୍ରେମରେ
ଧନ ନିଶା କେବେ ଘାରଇ ମନକୁ
କେବେ ଫାଟିପଡେ ଅହଂକାରରେ ।
ଆଧୁନିକ ବିଷ ହରଇ ହରଷ
ଧିରେଧିରେ ମନେ ଜମାଟ ବାନ୍ଧି
ବେଶ ପୋଷାକଠୁ ଆହାର ପାନୀୟ
ଚାଲିଚଳନରେ କରିକି ବନ୍ଦୀ ।
ନିଜକୁ କେବେ କି ପଚାରି ଅଛେ କି
କାହିଁକି ଘଟୁଛି ଏମିତି ଆଜ
ନିଜେ ପରା ଦାୟୀ ମିଛେ କୁହାକୁହି
ବିଶୃଙ୍ଖଳା ଭାଙ୍ଗିଦିଏ ସମାଜ ।
