ମାଆ ଓ ମମତା
ମାଆ ଓ ମମତା
ମା, ଏକ ଛୋଟ ଶବ୍ଦ ଅର୍ଥ ତା ଅନେକ
ସେ ଅର୍ଥକୁ ବୁଝିବାକୁ ଲୋଡା ହୁଏ
ଭାବ, ଭକ୍ତି, ସ୍ନେହ, ପ୍ରେମ, ବୁଦ୍ଧି ଓ ବିବେକ ।
ନବୁଝି ପାରଇ ଯିଏ, ସିଏ ପାଷାଣ୍ଡ ମୁର୍ଖ ଅବିବେକ।
ମା--ରୁ "ମାଗ୍", ମାଗିକରି ଦେଖ୍
ମନା କେବେ କରିବନି ସିଏ,
ପୂର୍ଣ୍ଣ କରିବାକୁ ତୁମ ମନୋରଥ ,
ସେଥିପାଇଁ ଥାଉ ବା ନଥାଉ ତାହାର ସାମର୍ଥ୍ୟ।
ମମତାର ଶକତିରେ ସିଏତ ବଳିଷ୍ଠ ।
ମା --ରୁ "ମାଡ"
ମାରି ପାରେ ସିଏ,ମନେ ଭରି ଅକୁହା ବେଦନା,
ଆଣିବାକୁ କୁ ପଥରୁ ଟାଣି ସନ୍ତାନକୁ ତାର,
ଛାତିତଳେ ଚାପିଧରି ଅନେକ ଯନ୍ତ୍ରଣା
ମାରିପାରେ ସିଏ,ଆଉ ସନ୍ତାନଠୁ---
ମାଡ ପୁଣି ଖାଇଥାଏ ସିଏ,
ଗର୍ଭରେ ଧରିବା ଠାରୁ ଶେଷ ଶ୍ବାସ ଟାଣିବା ପର୍ଯ୍ୟନ୍ତ
ଦିଏନାହିଁ ଅଭିଶାପ କେବେ
କହେନାହିଁ କେବେ କାହାପାଶେ,
ତାକୁ ଏତେ ମାଡ଼ ଦେଲା କିଏ?
କାରଣ---ସହିଷ୍ଣୁତାର ପ୍ରତିମୂର୍ତ୍ତି ସିଏ।
ମା--ରୁ,ମାଫ୍
ଦୁନିଆଁ ରେ ଅଛି କିଏ ଏଭଳି ମଣିଷ,
ନିର୍ବିବାଦେ ପିଇଯାଏ ଅପମାନ,ଲାଞ୍ଛନାର ବିଷ,
ସହିଯାଏ ବସୁମତୀ ଭଳି
କରି ତାର ହୃଦକୁ ପଥର,
ମାଫ୍ କରିଦିଏ ସବୁ ଦୋଷ ସବୁ ଭୁଲ୍ ମୋର,
କାରଣ _ମା'ସିଏ ମୋର
ହୃଦୟରେ ବହୁଛିତା ମମତାର ମନ୍ଦାକିନୀ ଝର।
ତା'ର ହୃଦୟର ଗଭୀରତା ମାପିବାଟା ଦୂରୁହ ବ୍ୟାପାର,
ଶକ୍ତି ତା'ର ପରଖିବା ଆମପାଇଁ ସୀମାର ବାହାର,
ସ୍ନେହ ତା'ର ମାପିବାକୁ ଆମ ପାଖେ ନାହିଁ ତ ନିକିତି,
ଧୈର୍ଯ୍ୟ ତା ଅପରିସୀମ
ଲମ୍ବିଗଲେ ଚାଲିଯିବ ଦିଗ୍ ବଳୟ ଟପି।
କେତେବା କହିବି ମା' ଗୁଣତୋର ବଖାଣିବି କେତେ
କ୍ଷମାକର
ସ୍ନେହମୟୀ, ପ୍ରେମମୟୀ,ମମତାମୟୀ ଗୋ
ଲୋଟୁଅଛି ତୋର ପାଦ ପ୍ରାନ୍ତେ।
ଖାଲି ଏ ଜନମେ ନୁହେଁ
ଜନ୍ମେ ଜନ୍ମେ ଜନ୍ମ ଦେବୁ ମୋତେ।
