ମାଆ କାଉଙ୍କ କର୍ତ୍ତବ୍ଯ
ମାଆ କାଉଙ୍କ କର୍ତ୍ତବ୍ଯ
ରାତି ପାହି ଦିନ ଅଧା ହୋଇଲାଣି
ପୁଅ ଉଠୁନାହିଁ ଯମା
ଶୀତ ତାକୁ ପରା କୋରି ଖାଉଅଛି
ଉଠାଉଛ କିଆଁ ମାଆ।
ମାଆ କାଉ ଧୀରେ କଅଁଳେଇ କହେ
ନ ଉଠିବୁରେ ଯଦି ତୁହି
ମାମୁ ଘର ଆମେ ଚାଲି ଯାଉଅଛୁ
ଏକୁଟିଆ ଥାଆ ରହି।
ତୋର ବାପା ଆଉ ଭଉଣୀ ସହିତ
କୁଣିଆଁ ଯାଉଛୁ ଏବେ
ଯାତରା ଦେଖିବୁ ମାମୁଙ୍କ ଗାଆଁରେ
ଚହଳ ପଡି଼ଛି ଭବେ।
ମାମୁ ଆଣିଦେବେ ମାଉଁସ ଖୋଜିକି
ରୋଷେଇ କରିବେ ମାଇଁ
ସଭିଏଁ ମିଳିକି ଖାଇବୁ ଆନନ୍ଦେ
ନ ଗଲୁରେ ଯଦି ନାହିଁ ।
ଚାଲରେ ଉଚ୍ଛର ହେଲାଣି ଏଥର
ପୁଅ ଶୋଇଥାଉ ଚେଇଁ
ଶୀତର ସକାଶେ ଅଳୁସୁଆଙ୍କୁ ବା
ନେବା କହ କାହିଁ ପାଇଁ ।
ଡରି ମରୁଥିଲା ଉଡି଼ ନ ପାରିବା
ତେଣୁ ତା ବସାଙ୍କ ସହ
ଆନନ୍ଦିତ ହୋଇ ଶୋଇ ରହୁଥିଲା
ଯେତେ କହ,କହେ ରହ ।
ମାଆ କାଉ ଆଜି ଶିକ୍ଷା ଦେବ ବୋଲି
ଛାଡି଼କି ଚାଲିଲେ ଯେବେ
ପୁଅ କାଉ ନିଜ ବଳ ଓ କୌଶଳେ
ଉଡି଼ଗଲା ଦୂର ନଭେ।
ମାଆ କାଉ ଆଜି ଜାଣିକି ପାଖକୁ
ମୋଟେ ଗଲା ନାହିଁ ବୋଲି
ପୁଅ ତା ଖୋଜିକି ଖାଇବା ଖାଇଲା
ମାଆ ବାପା ଗଲା ଭୁଲି।
ମାଆ କାଉ ଆଜି ଦୂରରେ ଲୁଚିକି
ଦେଖି ହୋଇଗଲା ଖୁସି
ଶୀତର ସକାଶେ ଅଳସୁଆ ପଣ
ମନୁ ଚାଲିଗଲା ଖସି।
ପୁଅ ଆଜି ତାର ଆଲୋକ ପବନ
ମନଭରି ଉପଭୋଗ
ମାଆ କାଉଙ୍କର ଦୁଃଖ ଚାଲିଗଲା
ଏ ଶୀତ ଦେଲା ସୁଯୋଗ ।
