ମାଆ ହାତ ହିଁ ଅମୃତ
ମାଆ ହାତ ହିଁ ଅମୃତ
କେଜାଣି କି ବାସ୍ନା ଥିଲା ମା' ହାତରେ
ତା' ହାତ ରନ୍ଧା ଖାଦ୍ୟରେ
ମାଆ ହାତ ରନ୍ଧା ଖାଦ୍ୟର ମହକ
ରହୁଥିଲା ହାତ ଧାରେ
ଖାଇ ସାରି ହାତ ପୋଛା ହୁଏ ଯେବେ
ମା'ର ପଣତ କାନିରେ
ମାଆ ହାତ ରନ୍ଧା ଖାଦ୍ୟର ମହକ
ଲାଗି ରହେ ପାପୁଲିରେ
ସୁଆଦିଆ ଖାଦ୍ୟ ଖାଉଥିବା କଥା
ଶୁଣିଛି ଅନ୍ୟ ମୁଖରେ
ସାଙ୍ଗ ସାଥି ,ଦୂର ବ୍ୟକ୍ତି ଜାଣୁ ଥିଲେ
ହାତ ପାପୁଲି ବାସ୍ନାରେ
ସେଇ ସ୍ମୃତି ଉଜ୍ଜୀବିତ ପ୍ରାୟ ସଦା
କିଛି ଖାଇବା ବେଳରେ
କିଛି ମନ କଥା କହିବାକୁ ଇଛା
ଉଦ୍ରେକ ହୁଏ ହୃଦରେ
ଲୀନ ହେଉଥିଲା ଜୀବନ ଜଞ୍ଜାଳ
ସମୁଦ୍ର ରୂପୀ ଗର୍ଭରେ
ଥିଲା ସେ' ଅକ୍ଷୟ ପାତ୍ର ମାଆ ପାଖେ
ଭୋକ ଘୁଞ୍ଚୁ ଥିଲା ଦୂରେ
ଅମୃତ କଳସ ଶୀତଳ ଧାରରେ
କେତେ ତୃଷା ନିବାରଣ
ନିଦ୍ରା ଆସୁଥିଲା ଚିତ୍ତ ତୃପ୍ତି ପରେ
ଜାଣି ଥିଲା ମାତୃ ପ୍ରାଣ
କଳ୍ପ ବଟ ରୂପେ ଘର ଅଗଣାରେ
ଜଳି ନିଜେ ଦୀପ ପରି
ଉଦାର ହୃଦୟେ କରେ ଆଲୋକିତ
ଅନ୍ୟ ହିତେ ସର୍ବୋପରି
ମାଆ ଗୀତ ପ୍ରାୟ ନିଦୁଆ ସଙ୍ଗୀତ
ଗପ ପଛେ ପଛେ ନିଦ
ମାଆ ଗୀତ ରାଗ ରାଗିଣୀ ମୂର୍ଚ୍ଛନା
କ୍ଳାନ୍ତ ଚିତ୍ତ କୁ ବିନୋଦ
ଦେହ ମୁଣ୍ଡ ଜାଣେ ମାଆର ଆଉଁସା
ପରିଚିତ ମାଆ ହାତ
ହାତ ରନ୍ଧା ଖାଦ୍ୟେ ଅମୃତର ବାସ୍ନା
ମାଆ ହାତ ହିଁ ଅମୃତ
ମାଆ ହାତେ ମାଡ଼ ଆଉ ଗାଳି ପ୍ରାୟ
ଧୂଳି ପରି ଯାଏ ଝଡି
ମାଆ ଗାଳି ମାଡ଼ ହେଉ ଅଛି ଜାଣି
ଅନ୍ୟ ମାନେ ଠରା-ଠରି
ମୋ ଧନ ସୁନା କୁଳ ଚନ୍ଦ୍ରମା ଡାକ
ଅବୁଝା ପଣିଆ ଜାଣି
ଲୁହ ଧାର ଝରି ନୟନ କୋଣରୁ
ଦୁଃଖ କହିବ ବଖାଣି
ଦୁଷ୍ଟାମି ବେଳରେ ବାପାଙ୍କୁ କହିବି
ଡରାଇବ ମିଛ ଡର
ହାତେ ହାତ ଧରି ଆକଟ କରିବ
ଗମ୍ଭୀର କରିବ ସ୍ୱର
କାଉ ବଗ ବାୟା ଭୂତ ଜହ୍ନ ମାମୁଁ
କିଏ ଶୁଣୁ ବା' ନ' ଶୁଣୁ
ଖାଇବା ବେଳରେ ଡାକିବ ସଭିଙ୍କୁ
ଡାକ ପରେ ଗୁଣୁଗୁଣୁ
ହେଇଟି ଆସିଲା ବସିଛି ସେଇଠି
କହିବ ତୁହାକୁ ତୁହା
ଆଁ ପୁଣି ଆଁ କରି ଅନେଇ ରହିଲେ
ଖୁଆଇ କହିବ ଆହା!
ନିପୁଣ ଓ ଦକ୍ଷ କଳାକାର ଭାବେ
ଜୀବନ୍ତ ଅଭିନୟ ରେ
ଘର ପରିବାର ସମାଜ ଓ ଦେଶ
ଯୋଡେ ଏକତା ସୂତ୍ରରେ
ଗୃହସ୍ଥ ଜୀବନ ଜଞ୍ଜାଳ ଭିତରେ
ହୃଦ ବେଦନା ଅବ୍ୟକ୍ତ
ପରିଣତି ବୟସରେ ବି ସେ' ସ୍ମୃତି
ଆପେ ହୁଏ ଉଜ୍ଜୀବିତ
ଗୃହସ୍ଥ ଜୀବନର ତିକ୍ତ ଅନୁଭୂତି
ଥରେ ଶୁଣି ଯା' ଲୋ' ମାଆ
କେମିତି , ତୁ' ସହି ସହି ଯାଉ ଥିଲୁ
କେତେ ଅଝଟ ପଣିଆ
କାହ୍ନୁ ପରି ଅଝଟ ପଣିଆ ଧାରେ
ଯଶୋଦା ପରି ଆକଟ
ଘରୁ ବାହାରକୁ ଗଲେ, ଚାହିଁ ରହୁ
ଫେରିବା ବେଳର ବାଟ
କାଳେ ରାମ ପରି ଘର ଛାଡ଼ି ଯିବି
ଚେତାଇ କହିଛୁ ଧୀରେ
ପାର୍ବତୀ ନନ୍ଦନ ସମ ଜ୍ଞାନ ଦେଖି
ଗର୍ବିତ ହେଲୁ ଖୁସିରେ
ବାଇଗଣ ଡେମ୍ଫ ପରି ଚୁଟି ବାନ୍ଧି
କଳା ଟୋପା କପାଳରେ
କା' ନଜର ନ ଲାଗୁ ବୋଲି ଧାରଣା
ଜାଣିଛି ତୋ ଅଲକ୍ଷ୍ୟରେ
ତୋ'କୋଳରେ କେତେ ପରିସ୍ରା କରିଛି
ଅବା ଶୋଇବା ଶେଯରେ
ପିଲା ମୋର,ବଡ ହେଲେ ଜାଣି ଯିବୁ
ସେ କଥା ଆଜି ମନରେ
ବଡ ହୋଇ ଦୁନିଆ-ଦାରୀ ଦେଖିଲି
ମା' ଛାଡ଼ି ମାୟାରେ ରହି
ନୂଆ ନୂଆ ସ୍ତନ୍ୟ ପାନ କଲି କେତେ
କିନ୍ତୁ, ସେ' ଅମୃତ ନାହିଁ
ଯେଉଁ ଅମୃତର ଆସ୍ୱାଦନେ ଥିଲା
ଶକ୍ତି ,ସ୍ନେହ ଓ ମମତା
ସନ୍ତାନ ନିମନ୍ତେ କେବେ ବି ନ ଥିଲା
ହୃଦୟରେ ଆବିଳତା
ମସ୍ତିଷ୍କର ସ୍ନାୟୁ ,ହୃଦୟର ତନ୍ତୁ
ପୁଣି ଧମନୀ ସମୂହ
ଶରୀରର ପ୍ରତି ରକ୍ତ ବିନ୍ଦୁ ଗାଏ
ଜୟ , ମାଆ ନାମେ ଜୟ
ଏକ ସ୍ୱରେ ସର୍ବେ, ମାଆ ହିଁ ମହାନ
ଶୁଣୁ ଅଛି ପ୍ରତିଧ୍ଵନି
ମାଆ କୋଳେ ଥିବା ସ୍ନେହ ପ୍ରେମ ଧାରା
ସହଜେ ଭୁଲି ହୁଏନି
ସେଇ ସ୍ନେହ ମମତାର ଋଣ ସହ
ସୁଧ ସହ ସୁଧ ମିଶି
ଅନ୍ୟ ଅର୍ଥେ ଚକ୍ର-ବୃଦ୍ଧି ସୁଧ ହାରେ
ବୃଦ୍ଧି ହେଉଅଛି ମିଶି
ସବୁ ଥାଇ ବି କାଙ୍ଗାଳ ଲୋ' ମାଆ
ବରଂ,ଥିଲି ସୌଦାଗର
ଲଙ୍ଗଳା ବେଳରେ ତୋ' କାନି ଭିତରେ
ଧନ ଥିଲା ଭରପୁର
ଯଦି କେବେ ପୁଣି ଜନ୍ମ ମାତୃ ଗର୍ଭେ
ନେବୁ ମା କୋଳେଇ,ପୁଣି
ମୁଁ ପରା ଋଣୀ ହୋଇ ଅଛି ତୋ' ପାଖେ
ଜନ୍ମ ଜନ୍ମ ପାଇଁ ଋଣି!
ପ୍ରବାଦରେ ମାଆ ଗାଳି ଦାଣ୍ଡ ଧୂଳି
ମାଆ କୋଳ ଫୁଲ ମାଳ
ମାଆ ସ୍ନେହ ମିଠା,ମିଠା ତୋଫା ଜହ୍ନ
ମାଆ ରାଣ ଢ଼ିଙ୍କି ଗିଳ
ମାଆ ମାଡ,କୁଆ ପାଡ,ଲୋକ କଥା
ପ୍ରଚଳିତ ସମାଜରେ
ଅସମ୍ଭବ ମାଆ ଋଣ ପରିଶୋଧ
ପ୍ରତି ଜନ୍ମ ଜନ୍ମାନ୍ତରେ
ଆଧୁନିକ ସଭ୍ୟତାର ତାଳେ ତାଳେ
ସବୁ ଯାଇଛି ବଦଳି
ଅକ୍ଷୁର୍ଣ୍ଣ ରହୁ ସେ ମାଆର ମମତା
ପ୍ରତି ମା ପଦେ ଏ' ଅଳି
