ମାଆ ବାଟ ମଙ୍ଗଳା
ମାଆ ବାଟ ମଙ୍ଗଳା
ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚା ମାଆ
ଅନ୍ଵେଷଣେ ବାହାରିଲେ,
ଏକାଦଶ ଏକାଦଶୀ ମଧ୍ଯେ ବ୍ରହ୍ମସ୍ଥାନ
ଖୋଜିବେ ଶପଥ କଲେ,
ଖୋଜି ସ୍ଥାନ ନ ପାଇଲେ
ପଥଶ୍ରମ କ୍ଲାନ୍ତି ମେଣ୍ଟାଇବା ପାଇଁ
ବୃକ୍ଷ ତଳେ ଶୋଇଗଲେ ।
କପୋତ କପୋତୀ ରୂପେ ବସିଛନ୍ତି
ଶାଖାରେ ପାର୍ବତୀ ହର,
ଆଳାପ ମଧ୍ୟରେ ରାଜାରାଣୀଙ୍କର
ସମସ୍ୟା ବୋଲନ୍ତି ହର
ନୀରବେ ଶୁଣିଲେ ମାତା
ଜୀବନ ହାରିବେ ଦୁଇଟି ନିଷ୍ପାପ
କିଛି ଉପାୟ ଚିନ୍ତିଲେ ।
ଜୀବନ ହାରିବା ଆଗରୁ ବ୍ରହ୍ମଙ୍କୁ
ଜଣାଇ ଦେବା ନିଷ୍ପତ୍ତି,
ଅକ୍ଷମ ହେଲୁ ଦୁଇ ପ୍ରାଣୀ ସତ
ଗୋବିନ୍ଦ ପଦେ ସଦା ମତି,
ଦୟା କର ହେ ପଦ୍ମନାଭ
ସେ ଜୀବ ଥାଇ କିବା ଲାଭ ଯହିଁ
ଗୋବିନ୍ଦେ ନାହିଁ ଭାବ ।
ମାଲବ୍ୟ ଅବନ୍ତୀ କଟକର ରାଜା
ଇନ୍ଦ୍ରଦ୍ୟୁମ୍ନ ମହାବୀର,
ବ୍ରହ୍ମ ସ୍ଥାନ ଖୋଜି ହୋଇଲେ ନିରାଶ
ଗୁଣ୍ଡିଚା ପ୍ରାଣ ନିଥର,
ପ୍ରଭୁ କୃପା ବର୍ଷା କର
ସମାଧାନ କଥା ଶୁଣିଦେଲେ ମାତା
କହିଥିଲେ ଯାହା ହର ।
ମାତୃତ୍ଵ ତାଙ୍କର ବିଳପି ଉଠିଲା
ସନ୍ତାନ ଦ୍ଵୟଙ୍କ ପାଇଁ,
ମାଆର ମମତା କେ ବର୍ଣ୍ଣି ପାରିବ
କାଳ ବି ଥୟ ନ ହୋଇ ,
ନିଦ୍ରାରେ ଅଚେତନ ଦୁହେଁ
ମୁକ୍ତାକେଶୀ ମା ଜଗଦମ୍ଭା ଯେ
ପାଖେ ଉଭା ହେଲେ ଯାଇଁ।
ମାଟି ସମ ପ୍ରଶସ୍ତ ବକ୍ଷ ,ହୃଦୟ
ଆକାଶ ଭଳି ଉଦାର ,
ମଧୁର ଶବ୍ଦେ ଉଠାଇଦେଲେ ତାଙ୍କୁ
ଠିକଣା ଦେଲେ ସତ୍ତ୍ୱର,
ମୁଁ ଆଗେ ଚ
ାଲେ ଆସ ପଛେ
ଦେଖ ଏ ନୀଳଗିରି ପର୍ବତ,ତହିଁ
ବିରାଜ କଳ୍ପ ଶରୀର ।
ପ୍ରଚଣ୍ଡ ପ୍ରତିଭା ଦାଉ ଦାଉ ଜଳେ
ଏକ ହସ୍ତେ ଦୀପ ଧରି,
ବାଟ କଢେଇ ନେଲେ ଇନ୍ଦ୍ରଦ୍ୟୁମ୍ନଙ୍କୁ
ପକାଇ ଶୁଭ ହୁଳହୁଳି ,
ଜଗତର ପ୍ରଥମ ହୁଳହୁଳି
ଦେଇଥିଲେ ମାଆ ମଙ୍ଗଳ ନିମିତ୍ତ
ବ୍ରହ୍ମ ସ୍ଥାନ ଅନ୍ଵେଷଣେ ତହିଁ ।
ଏପାଖେ ସାଗର ସେପାଖେ ପର୍ବତ
ଦଣ୍ଡେ ଠିଆ ହୋଇଗଲେ,
ନୀଳଗିରି ପର୍ବତରେ କଳ୍ପ କଳ୍ପ
ବଟବୃକ୍ଷ ଶୋହେ ଭଲେ,
ନିକଟେ ରୋହିଣୀ କୁଣ୍ଡ
ତହିଁ ପାର୍ଶ୍ଵେ ବ୍ରହ୍ମ ବିରାଜିତ ଛନ୍ତି
ମାତା ବର୍ଣ୍ଣନା କରିଲେ ।
ବ୍ରହ୍ମଙ୍କ ସ୍ଥାନର ସନ୍ଧାନ ଦୁହିଁଙ୍କୁ
ଦେଇଣ ପ୍ରତ୍ୟାବର୍ତ୍ତନ ,
ପରିଚୟ ଦିଅ ପୁତ୍ର ଇନ୍ଦ୍ରଦ୍ୟୁମ୍ନ
ମାତାଙ୍କୁ ବୋଲନ୍ତି ବଚନ,
କରିଛି ସତ୍ୟ ସ୍ଵାମୀଙ୍କ ଅଗ୍ରତେ
ନହେବି ସହାୟ ଯେଣୁ ତବ ପଥେ
ପରିଚୟ ନ ଦେବି ଜାଣ ।
ଜୀବନ ବଞ୍ଚାଇ ବାଟ ମଙ୍ଗୁଳାଇ
ଯେଣୁ ତୁମ୍ଭେ ଆଣିଥିଲ ,
ବାଟ ମଙ୍ଗଳା ମାଆ ଆଜିଠାରୁ ନାମେ
ଜଗତେ ପ୍ରକାଶ ହେଲ,
ବ୍ରହ୍ମ ଦର୍ଶନ ପୂର୍ବରୁ ଭକତ
ତୁମ୍ଭଙ୍କୁ ଦର୍ଶନ କରିବେ ମାଆଲୋ
ବାଟ ମଙ୍ଗଳା ହୋଇଲ ।
ମାତା ପାର୍ବତୀ ଯେ ବାଟ ମଙ୍ଗଳା
ଏକଥା ପ୍ରଘଟ ହେଲା ,
ବ୍ରହ୍ମ ସଂସ୍ଥାପନେ ସ୍ଥାନ ନିରୂପଣ
ସମସ୍ୟା ତ ଘୁଞ୍ଚିଗଲା ,
ହୁଳହୁଳି ରହିଗଲା
ସଚରାଚର ବିଶ୍ବରେ ଶ୍ରୀକ୍ଷେତ୍ରେ
ବ୍ରହ୍ମ ସଂସ୍ଥାପନ ହେଲା ।