ମା
ମା
ମାଆର ପଣତ ଶ୍ରୀମନ୍ଦିର ନେତ
ସ୍ନେହ ମମତାର ଘର,
ବିପଦେ ଆପଦେ ରକ୍ଷା କବଚ ସେ
କରେନାହିଁ କେବେ ପର ।
ଦଶମାସ ଦଶଦିନ ଗର୍ଭେ ଧରି
ଜନମ ଦେଇଛି ସିଏ,
ତା ଠାରୁ ବଳି ଏଇ ସଂସାରରେ
କୁହ ଭାଇ ଅଛି କିଏ ।
ମାଆର ପରଶେ ଦୁଃଖ ଶୋକ ସବୁ
କ୍ଷଣକେ ଯାଏ ଉଭେଇ,
ତାଆରି ଆଶିସେ କଠିନ କାମ ବି
ଯାଏତ ସରଳ ହୋଇ ।
କରୁଣାମୟୀ ସେ ଦୟାର ସାଗର
ତାପାଦେ ସରଗ ସୁଖ,
ମା ହାତ ଧରି ବାଟ ଚାଲୁଥିଲେ
ଦୂରତା ବି ହୁଏ ପାଖ ।
ମା ଶବଦଟି ଅମୃତ ସମାନ
ସେ ନାମରେ ଅଛି ଜୟ,
ମା ନାମ ସ୍ମରି ମାତୃସେବା କଲେ
ଦୂରହୁଏ ପାପ ଭୟ ।
ମା ଠାରୁ ବଳି ଏ ତିନି ଭୁବନେ
ଅଛିକି ଅମର ଜ୍ୟୋତି
ଗୋଟିଏ ହୃଦୟେ ଏକା ସାଙ୍ଗରେ ସେ
ସତ୍ୟ ଶାନ୍ତି ମୈତ୍ରୀ ପ୍ରୀତି ।