ମା'ର ପଣତ ପବିତ୍ର ନେତ
ମା'ର ପଣତ ପବିତ୍ର ନେତ
ମା'ର ପଣତ ପବିତ୍ର ନେତ
ତା' ଛାଇ ତଳେ ଥିଲେ ଆଶ୍ରିତ,
ମିଳଇ ମମତାର ଅମୃତ
ଦିଏ ଅଭୟ କରେ ପ୍ରେରିତ।
ସଂସାରରେ ମାଆ ପୂଜ୍ୟନୀୟା
ତା' ଅବଦାନେ ସେ ବନ୍ଦନୀୟା,
ଅବିରତ କରୁଥାଏ ଦୟା
ତା' ସେବା ଯତ୍ନେ ସେ ମହନୀୟା।
ଜନମ ଦେଇ କରେ ପାଳନ
ସ୍ନେହ ଶ୍ରଦ୍ଧାରେ କରି ଯତନ,
ଗଢ଼େ ସେ ସନ୍ତାନର ଜୀବନ
ଜଗତେ କରିବାକୁ ମହାନ।
ମାଆ ଶିଶୁ ସନ୍ତାନର ସାହା
ଜୀବନେ ଦେଖାଏ ତାକୁ ରାହା,
ପିଲାଟିଏ ଖୋଜିଥାଏ ଯାହା
ତା' ଭଲ ପାଇଁ ମା' କରେ ତାହା।
ନ ଖାଇ ଖୁଆଏ କୋଳେ ଧରେ
ହସ ଫୁଟାଏ ତା' ଅଧରରେ,
ସବୁ ସହି ପାଳେ ଆଦରରେ
ଶୁଭ ମନାସେ ଦିଅଁଙ୍କ ଠାରେ।
ମା'ର ତୁଳନା ନାହିଁ ମରତେ
ରହିଥାଏ ସେ ସନ୍ତାନ ହିତେ,
କରୁଥାଏ ସବୁ ପାରୁ ପର୍ଯ୍ୟନ୍ତେ
ଦୁଃଖ କଷ୍ଟ ସହିଯାଏ ଯେତେ।
ବଡ଼ ହୋଇ ଗଲେ ସେ ସନ୍ତାନ
ମା'କୁ ଭୁଲିଯାଇ ମଣେ ଆନ,
ଦିଏନା ତା' ପ୍ରତି ତିଳେ ଧ୍ୟାନ
ସୁଖେ ବିତାଏ ସେ ତାର ଦିନ।
ବୁଝେନା ସେ ମା'ର ତ୍ୟାଗପଣ
ହୋଇଯାଏ ନିଷ୍ଠୁର ପାଷାଣ,
ଭୋଗେ ଯେବେ ବହୁତ କଷଣ
ଅନୁତାପେ ହୁଏ ମ୍ରିୟମାଣ।
ସୁସନ୍ତାନ ମା'କୁ ମାନେ ଦେବୀ
ଶାନ୍ତି ପାଏ ତା'ର ପାଦ ସେବି,
ତା' ମମତାକୁ ଅନୁଭବି
ସତ୍କର୍ମ କରେ ଉଚିତ ଭାବି।
ମା'ର ପଣତ ପବିତ୍ର ନେତ
ରକ୍ଷା କବଚେ ହୁଏ ବିଦିତ,
ତା' କୋଳରେ ଖେଳି ସୁତାସୁତ
ମଧୁମୟ କରନ୍ତି ଜଗତ।
ମା'ର ଓଠେ ଫୁଟାଇଲେ ହସ
ଝରି ପଡ଼େ ସ୍ୱର୍ଗରୁ ଆଶିଷ,
ତାହା ହିଁ ଜୀବନର ପ୍ରକାଶ
ଭରିଦିଏ ହୃଦୟେ ସନ୍ତୋଷ।
