ମା ମଙ୍ଗଳା
ମା ମଙ୍ଗଳା
ଜୟ ଶିବଜାୟା ଜୟ ମହାମାୟା
ନାମ ବହିଛୁ ମଙ୍ଗଳା,
ମଙ୍ଗଳକାରିଣୀ ଅଟୁ ତୁ ମା' ଲୋ
ରଖୁ ତୁ ବୁଡିଲା ଭେଳା ।
କାକଟପୁରର ଅଧିଷ୍ଠାତ୍ରୀ ତୁହି
ଅଟୁ କେନ୍ଦୁଚାର ପ୍ରିୟ,
ମଙ୍ଗଳବାରରେ ପୂଜିଲେ ମା' ଲୋ
ହେଉ ତୁ ସଦା ସଦୟ ।
ଭୋଦୁଅ ମାସରେ ଖୁଦୁରୁକୁଣୀ ତୁ
ପୂଜାକଲା ତଅପୋଈ,
ସାହା ହେଲୁ ମା' ଦୁଃଖ ତା' ସରିଲା
ଫେରିଲେ ତା' ସାତଭାଇ।
ଆଶ୍ବିନ ମାସର ମଙ୍ଗଳବାରରେ
ନିଶି ରେ ତୋହର ପୂଜା,
ଖୁଲଣା ସୁନ୍ଦରୀ ମାନ ତୁ ରଖିଲୁ
ଉଡିଲା ବିଜୟ ଧ୍ବଜା ।
ଚୈତ୍ର ମାସର ମଙ୍ଗଳବାରରେ
ଚଣ୍ତାଳୁଣୀ ପୂଜା କଲା,
ଧନ ଧାନ୍ଯ ଆଉ ସନ୍ତାନ ପାଇଣ
ସୁଖରେ କାଳ କାଟିଲା ।
ଅବର୍ଣ୍ଣନୀୟ ମା ମହିମା ତୋହର
କିଞ୍ଚିତ ବର୍ଣ୍ଣିଲି ମୁହିଁ ,
ତ୍ରୁଟି ଥିଲେ ମା' କରିବୁ ମାର୍ଜନା
ସାହା ହେବୁ ମା' ତୁହି ।
ଅଭୟଦାୟିନୀ ଜଗତଜନନୀ
ଅଟୁ ମା' ତୁ ବରଦା,
ଭକତର ଦୁଃଖ ମୋଚନ ପାଇଁକି
ଜାଗ୍ରତ ଥାଉ ତୁ ସଦା ।
କରଇ ମା' ଅଳି କରଦ୍ବୟ ତୋଳି
ସାହା ହେବୁ ଜଗତକୁ,
ସବୁରି ଜୀବନେ ସୁଖ ଦୀପ ଜାଳି
ଦୁଃଖ ନିଶି ମା' ନାଶିବୁ ।
