ପାଦର ପାଉଁଜି
ପାଦର ପାଉଁଜି
ବର୍ଣ୍ଣେ ବିଭାବରୀ ତୁହି ଲୋ ସୁନ୍ଦରୀ
କୁଶେଶୟ ପ୍ରାୟ ପାଦ,
ପାଦ ଯୁଗଳେ ତୋ ଶୋଭିତ ପାଉଁଜି
ମୁଗ୍ଧ କରେ ତା'ର ନାଦ । (୧)
ଅଲକ୍ତ ବର୍ଣ୍ଣର ପାଦ ଯେ ତୋହର
ପାଉଁଜି ଶୋହେ ସେଥିରେ,
ସେହି ପାଉଁଜିର ଲଳିତ ସ୍ବର ଯେ
ମତୁଆଲା ମୋତେ କରେ । (୨)
ଶୁଭେ ରୁଣୁଝୁଣୁ ତୋ ପାଉଁଜି ବେଣୁ
ମନ ପୁଲକିତ ହୁଏ,
ସେ ରୁଣୁଝୁଣୁରେ ପଞ୍ଚମ ରାଗିଣୀ
ମନେ ଗୁଣୁଗୁଣୁ ଗାଏ । (୩)
ଶୟନ କାଳରେ ସପନେ ଦେଖଇ
ଆସୁଅଛୁ ତୁହି ମିତ,
ପାଦର ପାଉଁଜି ତୋଳଇ ମୂର୍ଚ୍ଛନା
ସପ୍ତସୁରେ ଗାଏ ଗୀତ । (୪)
ସୁନା ପାଦରେ ତୋ ରୂପାର ପାଉଁଜି
ଦିଶେ କେଡେ ମନଲୋଭା,
ଅତୁଳନୀୟ ଯେ, ସେ ଶୋଭା ଅଟଇ
କିବା ପଟାନ୍ତର ଦେବା । (୫)

