ଲୁହରେ ଲେଖୁଛି ଚିଠି
ଲୁହରେ ଲେଖୁଛି ଚିଠି
ରିକ୍ତ ହୃଦୟର ଅଲୋଡ଼ା କାଗଜେ
ଲୁହରେ ଲେଖୁଛି ଚିଠି,
ଅନେକ ଦିନର ନୀରବତା ପରେ
ଲେଖିବାକୁ ଚାହେଁ କିଛି |
ତୁମେ ସିନା ସାଥି ଭୁଲିଗଲ ମୋତେ
ମୁଁ କିନ୍ତୁ ପାରୁନି ଭୁଲି,
କେମିତି ଭୁଲିବି,ଜୀବନ ବିନା କି
ଶରୀର ପାରଇ ଚାଲି
ଅନେକ ବିନିଦ୍ର ରଜନୀ ବିତିଛି
ଭାବି ଭାବି ତୁମ ସ୍ମୃତି,
ତୁମ ପାଇଁ ସିନା ମୁଁ ଯେ ପାଲଟିଲି
ଜ୍ୟୋତିହୀନ ଏକ ବତୀ |
ତଥାପି ଜଳୁଛି ଜଳି ଚାଲିଥିବି
ଜୀବନର ଅବଶିଷ୍ଟ,
ସହି ଚାଲିଥିବି ନୀରବେ ଏକାକୀ
ଦହନର ଯେତେ କଷ୍ଟ |
ରାତି ପାହିବାକୁ ଆହୁରି ଅନେକ
ସମୟ ଅଛି ତ ବାକି,
ହୃଦୟର ଭାଷା ଆଖିରୁ ଝରୁଛି
ନିଜେ ନିଜ ପାଇଁ ସାକ୍ଷ ।
ତୁମ ପ୍ରୀତିରେ ଯେ ଏତେ ଛଳନାର
ରଙ୍ଗ ସବୁ ମାଖିଥିଲ,
ଜୀବନରେ ମୋର ସକଳ ଆଶାରେ
ଅବଶୋଷ ଭରିଦେଲ |
ତୁମ କ୍ଲାନ୍ତ ତନୁ ସ୍ବପ୍ନ ଦେଖୁଥିବ
ଶୋଇ ତୁମ ସାଥି କୋଳେ,
ମୋ ଆଖିରେ କିନ୍ତୁ ସ୍ବପ୍ନ ଭରେ ନାହିଁ
ଅସରା ଲୁହକୁ ଢାଳେ |
ତୁମ ବିନା ସାଥି ଜୀବନଟା ମୋର
ଚିରା କାଗଜ କି ସତେ,
ସେ ଟୁକୁଡା ସବୁ ଭଗ୍ନ ହୃଦୟରେ
ଅକୁହା ବେଦନା ସାଜେ |
ତୁମ ବିଚ୍ଛେଦରେ ସମୟ ମୋ ପାଇଁ
ହୋଇଛି ବଡ଼ ନିଷ୍ଠୁର,
ପ୍ରତିଟି ମୁହୂର୍ତ୍ତ ଯନ୍ତ୍ରଣାରେ ଭରା
ଶୂନ୍ୟତାର ହାହା କାର |

