ଲୋହିତ ଗୋଧୂଳି
ଲୋହିତ ଗୋଧୂଳି
ଅସ୍ତମିତ ଗୋଧୂଳି ର ମଧୁର ଲଗନେ
ଆଦିଗନ୍ତ ବ୍ଯାପୀ ଧରା ଲୋହିତ ପ୍ଲାବନେ ।
ଆହା କି ! ବିଚିତ୍ର ବେଶ କରଇ ଧାରଣ
ଆକାଶେ ଉକୁଟି ଦିଶେ ଲୋହିତେ ରଂଜନ ।
ବନ ଗିରି ଜଳାଶୟେ ସୁନେଲୀ ବରଣେ
ରତ ଏବେ ନିତି କମ ବିଭା ବିକିରଣେ ।
ଚାରୁ ସୁ‐ଚମକେ କ୍ଷଣେ ଋଚିମୟୀ ରାଗେ
ସୁ‐ମନୋଜ୍ଞ ଛବି ମାଳା ଖେଳେ ନୀଳ ମେଘେ ।
ଭାସି ବୁଲେ ସାଜି ସବୁ ଆରକ୍ତ ବରଣ
ଅନନ୍ତ ଲାଲିମା ନଭେ ଆହା କି ! ମୋହନ ।
ପର୍ଣ୍ଣ ପୁଷ୍ପ ଫଳେ ପୂର୍ଣ୍ଣ ବନ ଉପବନ
କମନୀୟ ରାଗେ ରଙ୍ଗେ ଲୋହିତାଭେ ପୂର୍ଣ୍ଣ ।
କ୍ଷଣ କାଳ ସ୍ଥାୟୀ ସିନା ଅଟେ ଏହି ଆଭା
ହେଲେ ବି ଭାବୁକ ମନେ ଯୋଗାଏ ପ୍ରତିଭା ।
ରଚେ ସେ ଅସଂଖ୍ଯ କାରୁ କଳା କାରିଗରୀ
ମନ ପ୍ରାଣେ ଦିଏ ଭରି ଭାବର ଲହରୀ ।
ଲୋହିତ ଆରକ୍ତ ରାଗେ ଅଲକତ ଜିତ
ଗୋଧୂଲୀ ଗଗନ ଶୋଭା ବିଭା‐ବିରାଜିତ ।
ତୋରା ଦିଶେ ଚାରୁ ଛାୟା ଛଇ ସୁ‐ସୁଷମେ
ଛଟକେ ଝଟକେ ଝଳି ଖେଳି ମନୋରମେ ।
ବିଭାସିତ ବିସ୍ମୟର ବର୍ଣ୍ଣାଢ୍ଯ କିରଣେ
ରୂପେଲୀ ଲୋହିତ ଛଟା ବିଚ୍ଛୁରଇ କ୍ଷଣେ ।
ଲୋକନେ ଈକ୍ଷଣେ ଲୋକ ହୂଦ‐ଉତ୍ଫୁଲ୍ଲିତ
ପକ୍ବଶାଳୀ ଶସ୍ଯାବଳୀ ଦିଶେ ସୁ‐ଲୋହିତ ।
ଗ୍ରାମେ ବନେ ଜଳେ ସ୍ଥଳେ ସହର ନଗରେ
ସତେ କି ! ଶୋଭନ୍ତି ସର୍ବେ ଲୋହିତ ହାସରେ ।
ଲହ ଲହ ଲୋହିତାଭ ଗଧୂଲୀ ପରସେ
ଗୋରୁ ପଲ ଲେଉଟନ୍ତି ଚାଲି ପଥ ପଥେ ।
ଖୁରାରୁ ଉତ୍ଥିତ ରଜ ‐ପବନ ପରସେ
ଲୋହିତାଭ ଆଦ୍ରବାୟୁ ବର୍ଣ୍ଣିଳ ବିଳାସେ ।
ବହେ ଧୀରେ ଦୂରେ ଦୂରେ ସଂଚାରି ମୟୂଖ
ଲୋହିତ ରାଗ ରଂଜିତ ପକ୍ଷୀଙ୍କର ପକ୍ଷ ।
ନୀଡ ବାହୁଡାର ଦୂଶ୍ଯେ ନାଚି ଉଠେ ତୋରା
ତୋଫା ତୋଫା ବିତାନ କି ! ଦିଶେ ଅଭ୍ରମାଳା ।
ତଥି ପରେ କମ ହେମ‐ କେତନ ବିଭ୍ରମ
ଉପୁଜାଏ ନବୋଦିତ ବାଳେନ୍ଦୁ ସୁଷମ ।
କ୍ରମେ କ୍ରମେ ଲୋହିତାଭ ଆସେ ଅପସରି
ଅନୁଭବେ ବିଶ୍ବ ସ୍ରଷ୍ଟା କିବା ବର୍ଣ୍ଣାବଳି ।
ଧରି ନିତି ରଚୁ ଥାନ୍ତି ଫମ୍ପା ଭାବ ମାନ
ଏ ନିଖିଳ ବିଶ୍ବ କିବା ? ବର୍ଣ୍ଣ ‐ପ୍ରସ୍ରବଣ ।
ଲୋହିତ ରେ ଆନ ବର୍ଣ୍ଣ ମିଶ୍ରଣ ପ୍ରକାର
ଘୋଟି ଆସେ ଅଚାନକ ଦଣ୍ତେ ଅନ୍ଧକାର ।
ଧବଳ କୁସୁମ ସମ କମ‐ ହାସେ ହସି
ଉଭା ହୋନ୍ତି ପଙ୍କ୍ତି ପଙ୍କ୍ତି ତାରକା ବିକସି ।
ବିମଳ କୌମୁଦୀ ପାତେ ଜ୍ଯୋତ୍ସାଭ ଯାମିନୀ
ଲୋହିତ ଗଧୂଲି ଶେଷେ ଗ୍ରାସଇ ମେଦିନୀ ।
ଗୂହେ ପୁଣି ଦେବାଳୟେ ଜଳେ ଧୂପ ଦୀପ
ଶଙ୍ଖ ‐ ଘଣ୍ଟ ତୀବ୍ର ନାଦ ଉଛୁଳେ ଅମାପ ।

