ଲୋଡୁଛି ଦିବ୍ୟ ଦର୍ଶନ
ଲୋଡୁଛି ଦିବ୍ୟ ଦର୍ଶନ
ଦରଶନ ତୋର କରିବି ବୋଲିରେ
ଗଣି ଚାଲିଛି ମୁଁ ଦିନ
ତୋ ଡୋରୀ ଲାଗିଲେ ଶ୍ରୀକ୍ଷେତ୍ର ଯାଇ ମୁଁ
ଦେଖିବି କଳା ବଦନ I
ଧିରେ ଧିରେ ମୋର ବୟସ ଖସୁଛି
ଦେହରୁ ଖସୁଛି ବଳ
ଅଣ୍ଟା ନଇଁଲାଣି ଆଖିକୁ ଦିଶୁନି
ସରି ଆସିଲାଣି ବେଳ I
ତୋ ମହିମା କେତେ ଶୁଣିଛି କାଳିଆ
ଆଖିରେ ଦେଖିନି ତୋତେ
ଅବଢା ଟିକିଏ ତୁଣ୍ଡରେ ଦେଇନି
ପ୍ରଣମିନି ଯୋଡ ହସ୍ତେ I
ଆଖି ବନ୍ଦକରି ଅନୁଭବିଛି ମୁଁ
ମୋ ଭିତରେ ତୋର ସତ୍ତା
ତୋର ଦରଶନ ଲୋଡେ ମୋର ମନ
ଆଉ ସବୁ ଲାଗେ ପିତା I
ଭାବନାରେ ତୋର କଟୁଛି ମୋ ଦିନ
ଜାଣିନୁ କି ଭାବଗ୍ରାହୀ
ମୋ ଭିତରେ ରହି ବାଟ ଦେଖାଇବୁ
ପାରିହେବି ଭବନଈ I
ପପୀଟିଏ ବୋଲି ରାଗିବୁ ନାହିଁରେ
କୋପେ ଦେବୁନାହିଁ ଶାପ
ଦିବ୍ୟ ଦରଶନ ପାଇଗଲେ ତୋର
ପୂର୍ଣ୍ଣ ହେବ ଅଭିଳାଷ I