ଲଣ୍ଠନର ଅନ୍ଧାରି ବିଜେ
ଲଣ୍ଠନର ଅନ୍ଧାରି ବିଜେ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପାଠ ପଢ଼ିବାକୁ ଲଣ୍ଠନ ମୂଳରେ
ସନ୍ଧ୍ୟାରେ ହୁଏ ଗହଳି
ପୁରୁଣା ଶୈଶବ ରଖିଛି ସ୍ମୃତିରେ
କେମିତି ଥିଲା ଚାହାଳି ।
ସେକାଳ ପଖାଳ ଏକାଳେ ନାଇଁ
ବାସୁଥିଲା ଘରେ ଆମ୍ବୁଲ ରାଇ
ଉଚ୍ଚା ଜାଗା ଦେଖି ଥୋଇ ଲଣ୍ଠନ
ଖାଉଥିଲୁ ବସି ଭଉଣୀ ଭାଇ ।
ନ୍ୟାୟ ନିସାପ ଅବା ପୋଖରୀ ଭାଡ଼ି
ଦୋକାନ ବଣିଜ ଆଉ ଶଗଡ଼ ଗାଡ଼ି
ଜୀବନ ଜିବୀକା ହାତେ ଆଲୁଅ କଡ଼ି
ରାତିର ସାହାରା ସେଇ ଅନ୍ଧଲଉଡ଼ି ।
ପିଲାଙ୍କ ମଧ୍ୟରେ ଥିଲା ପ୍ରତିଯୋଗିତା
କାହା ଲଣ୍ଠନର କାଚ କେତେ ଯେ ସଫା
ସଫା କରୁ କରୁ ଯଦି ଭାଙ୍ଗିଲା କାଚ
ଶୁଣୁଥା ବାପାଙ୍କ ଗାଳି ଏକତରଫା ।
ବିଜୁଳିବତୀରେ ଆଜି ଗାଁ ସହର ଦେଖ
ଭଳିକି ଭଳି ଆଲୁଏ ଦିଶେ ଚକଚକ
ବନ୍ୟା ବାତ୍ୟା ସମୟେ ଅବା ବିଜୁଳିକାଟ
ଲଣ୍ଠନ ଖୋଜନ୍ତି ପୁଣି ସଂସାରେ ଲୋକ ।
ଅନ୍ୟକୁ ଆଲୋକ ଦେବା ମହତ କାମ
ଅନ୍ଧାର ବଇରୀ ରୂପେ ରଖିଛି ନାମ
ଭୋଟ ଚିହ୍ନ ରୂପେ ତାକୁ ପଡ଼େ ସଲାମ
ରାଜନୀତିରେ ପଡ଼ି ହେଲାଣି ନାକେଦମ ।
ଆଜି ବି ମୁଣ୍ଡ ଟେକେ ଅନ୍ଧକାର ଚିରି
ପାହାଡ଼ ଜଙ୍ଗଲଭରା ବିଜୁଳିର ଅଛୁଆଁ ରାଇଜେ
ମଣିଷଜଗତ ଧରାରେ ଥିବ ଯେତେଦିନ
ଭୁଲିବନି ଲଣ୍ଠନର ଅନ୍ଧାରି ବିଜେ ।