ଲକ୍ଷ୍ମୀ ପୁରାଣ
ଲକ୍ଷ୍ମୀ ପୁରାଣ
ଧନ୍ୟ ଉତ୍କଳର ମାତା ମହାଲକ୍ଷ୍ମୀ ଠାକୁରାଣୀ
ମହିଳା ସଶକ୍ତିକରଣର ସଫଳ କାହାଣୀ।
ଭାଙ୍ଗିବାକୁ ଜାତିଭେଦର ଅଲ୍ଲଂଘ୍ୟ ପାଚେରୀ
ସହିଲେ କଷଣ ମହାପ୍ରଭୁ ବ୍ରହ୍ମାଣ୍ଡ ବିହାରୀ।
ରଚିଲେ ଯେଉଁ ନୂଆ ଗାଥା ନୂଆ ଇତିହାସ
ଲୀଳାମୟଙ୍କ ଲୀଳା କି ବୁଝିବ ଛାର ମଣିଷ?
ଅନ୍ନର ଅନାଦର ମହାଲକ୍ଷ୍ମୀ ଜମା ନ ସହନ୍ତି
ଅନ୍ନ ଯେ ସଚରାଚର ସୃଷ୍ଟିର ଶ୍ରେଷ୍ଠ ସମ୍ପତ୍ତି।
ଜାତି ଅଜାତିର ଭେଦ ମନର ବିକାର ମାତର
ମହତପଣିଆ ଏକା ଅଟଇ ମଣିଷର ସଂସ୍କାର।
ମଣିଷ ସମାଜେ ଦେବାକୁ ସଂସ୍କାର ସଂସ୍କୃତି ବାରତା
ରଚିଥିଲେ ଭିଆଣ ମହାପ୍ରଭୁ - ମହାଲକ୍ଷ୍ମୀ ମାତା।
କାହିଁ କେତେ କାଳରୁ ଅଛି ମାଣବସାର ଚଳଣି
ଅକ୍ଷରେ ଅକ୍ଷରେ ପାଳନ୍ତି ସର୍ବେ ଓଡ଼ିଆଣୀ।
ମାର୍ଗଶିର ମାସ ଗୁରୁବାର ଦିନ ହୁଏ ଏହି ବ୍ରତ
ଅନ୍ନପୂର୍ଣ୍ଣା ମହାଲକ୍ଷ୍ମୀଙ୍କର କୃପା ଲଭଇ ଜଗତ।
ନାରୀ ତ ନୁହଁଇ ପୁରୁଷ ପାଦର ପାଣ୍ଡୋଇ
ନାରୀ ବିନା ପୁରୁଷର ଗତି ମୁକ୍ତି ନାହିଁ।
ମାଣବସା ଗୁରୁବାର ଓଷା ଆମକୁ ଦିଏ ମହାଶିକ୍ଷା
ଯହିଁରେ ରହିଛି ଭରି ଜପ-ତପ-ତ୍ୟାଗ-ତୀତିକ୍ଷା।