ଲକ୍ ଡାଉନ୍ ପରେ
ଲକ୍ ଡାଉନ୍ ପରେ
,
ବାହାର ସହରେ ଫସିଥିବା ପୁଅ ଘରକୁ ଫେରିଲା
ଦାଢି ନିଶ ଏତେ ଦେଖି ବାପ ତା'ର ଜୁହାର ଟେ ହେଲା ।
ପୁଅ ବାପକୁ ଓଲଟା ଜୁହାର ହୋଇ ପରିଚୟ ଦେଲା
ଏଡେ ହୃଷ୍ଟପୁଷ୍ଟ ପୁଅ ଏଡିକି ପତଳା କିପରି ହେଲା !
ପୁଅ କହିଲା ପଖାଳ ମୁଠାଏ ବାଢେ ବୋଉ ଭାରି ଭୋକ
ବିଶ୍ୱାସ ଅବିଶ୍ବାସର ଦୋଛକିରେ ଖୁସି ହେବେ ଅବା ଶୋକ !
ପୁଅ କହିଲା ସେ କାହାଣୀ ବହୁ ଲମ୍ବା ବିଭୁ କୃପା ଯୋଗୁଁ
ଘରକୁ ମୁଁ ଆସି ପହଞ୍ଚିଛି ଲକ ଡାଉନ୍ ଟା ଭାଙ୍ଗୁ ଭାଙ୍ଗୁ ।
ବୋଉ ଆଖିରୁ ଲୁହ ଧାରଧାର ପଖାଳ ବାଢିବାକୁ ତରବର
କାହୁଁ ଧାଇଁ ଆସିଲେ ଗାଆଁ ବାଲା ଠେଙ୍ଗା ବାଡି ଧରି ଭୟଙ୍କର ।
ଗାଆଁରେ ପୁରାଇ ନଦେବୁ ଆମେ ବାହାରୁ ଆସିବା ଲୋକ
ଶୀଘ୍ର ଗାଆଁ ଛାଡି ପଳାଅ ନହେଲେ ପିଠିରେ ପଡିବ ପୋକ ।
ଭୋକରେ ଆଉଟୁ ପାଉଟୁ ପୁଅ ମାଆ ହାତ ତା ହାତରେ ଅଛି
ପିଠିରେ ବସିଲା ଲାଠି ସେ କି ଆଉ ଦୁନିଆଁରେ ଅଛି !
ଯବାନ ପୁଅ ଯାଇଥିଲା ବାପ ମା ତୁଣ୍ଡେ ଦେବ ଦାନା
ମରି ପଡିଛି ସେ ଆଖି ଆଗେ ନାଲି ଆଖି କାନ୍ଦିବାକୁ ମନା ।
ଶବକୁ କାନ୍ଧ ଦେଲେ ନାହିଁ ପୁରୋହିତ କର୍ମ କଲା ନାହିଁ
ଏ କି ସମାଜ ବ୍ୟବସ୍ଥା ମାନବିକ ମୂଲ୍ୟବୋଧ ନାହିଁ !
କରୋନାର ମହା ଚେତାବନୀ କଳିଯୁଗ କଡ ଲେଉଟାଏ
ଶାନ୍ତିରେ ଆସିବ ସତ୍ୟ ନା ପ୍ରଳୟ ତାଣ୍ଡବ ରଚିବା ଯାଏଁ !
