STORYMIRROR

BISWESWAR MAJHI

Inspirational Others

3  

BISWESWAR MAJHI

Inspirational Others

କୁରାଳ ଚକ୍ର

କୁରାଳ ଚକ୍ର

1 min
28


କୁମ୍ଭାର ବୋହୁ ତୁ ମାଟି ଆଣିବାକୁ

      ଯାଉ ଅବା ଝାଟି ପାଇଁ

ଗଢିବା ତୋହର ପରିବାର ଧର୍ମ

      ତୋତେ ବିଶ୍ରାମ ବା କାହିଁ !!


ଗଢିବାର କାମ କୁରାଳ ଚକ୍ରର

        ଈଶ୍ବରଙ୍କ ଅନୁରୂପ

ସମାଜକୁ ଦେଇ ସୁସ୍ଥ ପରିବେଶ

     କୁମ୍ଭାର ଭାଇ ବିରୂପ।


ମଙ୍ଗନକୃତ୍ୟରୁ ବିବାହ ବେଦୀ

       ସାତ କଳସର ବିଧି

ବାଚ ଘଡି ପୁଣି ଦୀପ ପ୍ରଜ୍ୱଳନ

      କୁମ୍ଭାର ଘରର ନିଧି।


ମାଟି ପିଣ୍ଡୁଳାକୁ କୁରାଳ ଚକ୍ରରେ

     ଗଢେ ଯିଏ ଭଳି ଭଳି

ହାତ ଲଗାଇଲେ ରୂପଟି ବଦଳେ

      ହାଣ୍ଡି ମାଠିଆ ଦୀପାଳୀ।

 

ଦୀପାବଳି ଆଜି ଚାଇନା ଲିଚୁରେ

       ଦୀପ କେହି କିଣେ ନାହିଁ

ମାଟି ହାଣ୍ଡି ସବୁ ନନ ଷ୍ଟିକ୍ ହେଲା

      କୁମ୍ଭାର ବଞ୍ଚିବେ କାହିଁ !


ହୋଟେଲ ଶିଳ୍ପରେ ମାଟି ହାଣ୍ଡି ମାଂସ

      ଚାଲିଛି ମହାପ୍ରସାଦ

ମାଟି ମିଳେ ନାହିଁ ତଥାପି କୁମ୍ଭାର

       ଲେଖୁଛି ଜୀବନ ବେଦ।


ମାଟି ହାଣ୍ଡି ରନ୍ଧା ସୁଆଦ ନିଆରା

       ଭାତ ତରକାରି ପିଠା

ହତଭାଗା ଆମେ ହରାଇ ବସିଛୁ

       କୁମ୍ଭାର ଜୀବିକା ଅଠା।


ମହାପ୍ରସାଦରୁ ବିବାହ ଉତ୍ସବ

      ମୃତକ କର୍ମରେ ହାଣ୍ଡି

କୁମ୍ଭାର ଭାଇର ଆଦର ଗଲାଣି

      କାହୁଁ ବା ପିନ୍ଧିବ ପେଣ୍ଡି !


ବନବାସ ବେଳେ ପାଣ୍ଡବ କୁମ୍ଭାର

    ଘରେ ଆଶ୍ରା ନେଇଥିଲେ

ଯାଜ୍ଞସେନୀ ସ୍ୱୟମ୍ବର ପାଇଁ ସଜ

    ହୋଇ ସେଇଠାରୁ ଗଲେ।


ଅନାମିକା ନାମେ ଗ୍ରାମଟିଏ ଥିଲା

     କୁମ୍ଭାର ରହିଲେ ତିନିଟି

ଏପରି ମାର୍ମିକ ଶରୀର ତତ୍ତ୍ୱର

      ଲୋକଗୀତ ଆଜି ନାହିଁ ଟି ।

 

ଗଢିବା ପୋଡିବା କୁମ୍ଭାରର କାମ

      ନିଆଁ ପାଣି ପବନରେ

ମାଟି ସହ ମାଟି ହୋଇପାରେ ଯିଏ

      ଦାନା ପାଣି ତା'ର ମରେ।


ମାଟିରୁ ମେଦିନୀ କୁମ୍ଭାରର ଖେଳ

      ମିଳେ ନାହିଁ ତାକୁ ମାନ

ମାଟି ହାଣ୍ଡି ଶ୍ରେଷ୍ଠ ବୁଝିବି ଅବୁଝା

      କୁମ୍ଭାର ଦୁଃଖୀ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational