କୁନାର ବାଡିରେ ଫଗୁଣ
କୁନାର ବାଡିରେ ଫଗୁଣ
କୁନାର ବାଡିରେ ଫୁଟୁଅଛି ଫୁଲ
ହେନା,ଜୁଇ,ଜାଇ,ମଲ୍ଲୀ
ସୁନ୍ଦର ଦିଶୁଛି ଭେଳିକି ରଙ୍ଗରେ
ଫଗୁଣ ଆସିଛି ବୋଲି
ଫୁଲରୁ ଫୁଲକୁ ଉଡେ ପ୍ରଜାପତି
ଧରା ଦଉ ନାହିଁ ସିନା
ଅଳସ ନ ହୋଇ ମହୁମାଛି ଦଳ
ମହୁ କରିଲେଣି ଜମା
ଆମ୍ବଗଛ ଡାଳେ ବସିକି କୋଇଲି
କୁହୁ କୁହୁ ଗାଏ ଗୀତ
କୁନାର ଓଠରେ ଫୁଟିଉଠେ ହସ
ସତେକି ପରାଣ ମିତ
ମହ ମହ ବାସେ ବଉଳ ବାସନା
ଚଉଦିଗ ମହକାଇ
ମୁନା ମୁନି ସାଥେ ନାଚିକୁଦି ଖେଳେ
ପଢାବହି ଗୀତ ଗାଇ
ଛନ ଛନ ଦିଶେ ଘାସ ଗାଲିଚାଟି
ବଳିଛି ଶରଧା ତା'ର
ମନ ଆନନ୍ଦରେ ପଢଇ ସେଇଠି
ସଜାଡି ବହିପତର
ପଣ କରିଅଛି ଫଗୁଣ ସାଥିରେ
କାହାକୁ ଦେବନି ଦୁଃଖ
ଫୁଲ ପରି ଫୁଟି କଳୁଷ ଜଗତେ
ଭରିବ ଅପାର ସୁଖ
