କୁମାର ପୂର୍ଣ୍ଣିମା ଗୀତ
କୁମାର ପୂର୍ଣ୍ଣିମା ଗୀତ
ଶରତର ଶେଷ ହେମନ୍ତ ପ୍ରବେଶ କୁଆଁର ପୁନେଇଁ ରାତି
କଇଁଫୁଲିଆ ଏ ଜହ୍ନ ଆଲୁଅରେ କୁଆଁରୀ ଖେଳନ୍ତି ପୁଚି
ଅଦୂରରୁ ଶୁଭେ ଗୀତର ଲହରୀ
ମନ ଖୋଜୁଥାଏ ସାଥୀ କୁଆଁର ପୁନେଇଁ ରାତି ।।
ଗୀତଶେଷେ ଫୁଲ ବଉଳବେଣୀର ଘୋଷା ମନ ମୋହିନିଏ
ଆନମନା ମନ ବିଭୋରେ ସେଦିଗେ ଆପେ ଟାଣି ହୋଇ ଯାଏ
ଦେହ ସିନା ଥାଏ ଏପଟେ, ସେପଟେ
ସ୍ପନ୍ଦିତ ହୁଅଇ ଛାତି କୁଆଁର ପୁନେଇଁ ରାତି ।।
ତୁଳସୀ ଚଉରା ମୂଳରେ ଜାଗର ଜାଳି ବସି ଅଛି ଯିଏ
ଶଶି ମୁଖୀ ଶଶି ବନ୍ଦାପନା କରି ମନଭୁଲା କଥା କହେ
ତା ପାଇଁ ଏ ମନ ହେଉଛି ଉଚ୍ଛନ୍ନ
ସେ ପ୍ରୀୟବତୀ ମୋର ସାଥୀ କୁଆଁର ପୁନେଇଁ ରାତି ।।
ବିନ୍ଦୁ ବିନ୍ଦୁ ମାଇ କାକର ଟୋପା ରେ ଶୀତେଇ ଉଠଇ ଦେହ
ନୂତନ ବସନେ ନାନା ଆଭରଣେ ଉଜ୍ଵଳି ଉଠେ ତୋ ମୁହଁ
ଆସ ଆସ ସହୀ ରଙ୍କର ରତନ
ଆନନ୍ଦେ ଖେଳିବା ମିଶି କୁଆଁର ପୁନେଇଁ ରାତି ।।
ଉଷୁମ ପରଶ ମନର ମଣିଷ ଶ୍ରଦ୍ଧା,ସ୍ନେହ,ପ୍ରେମ, ପ୍ରୀତି
ସବୁକୁ ଭରଷା କରି ସିନା ପ୍ରାଣ ଧରି ରଖିଛି ଧରିତ୍ରୀ
ସେହି ଭରଷାରେ ସଂସାରେ ସହୀ ରେ
ଆଶା ତୋ ଅମୀୟ ପ୍ରୀତି କୁଆଁର ପୁନେଇଁ ରାତି ।।
ପୂଜା ଗଜଲକ୍ଷ୍ମୀ, ମୋ ଘରର ଲକ୍ଷ୍ମୀ ବିନା ପ୍ରେମେ କି ସଂସାର
ଆଜି ସେହିଲଗ୍ନ ପ୍ରେମର ବନ୍ଧନ’ ରାତି, ଶେଷ ଶରତର
ତୋ ମନ ମନ୍ଦିର ପଥର ଦିଅଁ ମୁଁ
ଦିଅ ଦେବୀ ଦିବ୍ୟ ଶକ୍ତି କୁଆଁର ପୁନେଇଁ ରାତି ।।

