କୁଳବଧୂ
କୁଳବଧୂ
ବଧୂଟିଏ ହେବା ସହଜ ବ୍ୟାପାର
କଳବଧୂ ହେବା କଷ୍ଟ
ଦର୍ପଣ ପରିକା ସ୍ୱଚ୍ଛ ତା ସ୍ୱଭବ
ଚରିତ୍ର ନ ଥାଏ ନଷ୍ଟ ।
ଦୟା କ୍ଷମା ଗୁଣ ଥାଏ ଭରପୁର
ଥାଏ ସିଏ ଉପକାରୀ
ଦୁଃଖର ସୁଖର ସାଥି ହେଇ ସିଏ
ଚଳାଏ ସଂସାର ତରୀ ।
ପରକୁ ଆପଣା କରିଥାଏ ସିଏ
ବାନ୍ଧିଣ ସମ୍ପର୍କ ଡୋରି
ଅନ୍ୟ ଓଠେ ହସ ଭରି ଦିଏ ସିଏ
ନିଜେ ପିଇ ଅଶ୍ରୁ ବାରି ।
କନ୍ୟା ଥିବା ବେଳେ ପିତାଳୟେ ସିଏ
ଶିଖି ଥାଏ ଯେ ସଂସ୍କାର
ସେଇ ସଂସ୍କାର ତା ଜୀବନ ପାଲଟେ
ଗଢେ ସୁଖର ସଂସାର ।
ବିବାହ ବେଦୀରେ ସାତଫେରା ନିଏ
ମଥାରେ ସିନ୍ଦୂର ନାଇ
ଶାଶୁଘରେ ସିଏ ପାଦ ଥାପି ଦିଏ
କୁଳବଧୂଟିଏ ହେଇ ।
ମଥାରେ ସିନ୍ଦୂର ହାତେ ନାଲି ଶଙ୍ଖା
ପିନ୍ଧି ସାଜେ କୁଳବଧୂ
ସର୍ବଦା ମଥାରେ ଓଢଣା ତା ଥାଏ
ସମ୍ମାନ ଗୁରୁଜନକୁ ।
ମାନ ଥାନ ରଖେ ଗୁରୁଜନ ପ୍ରତି
ସଦା ଧର୍ମ ପରାୟଣ
ସଭିଙ୍କ ମନକୁ ନେଇ ସେ ଚଳଇ
ନ ଦିଏ ମନେ କଷଣ ।
ସେନେହ ମମତେ ସଭିଙ୍କୁ ରଖଇ
ହୁଏନି ସେ ଭଟାଚରୀ
କାହାକୁ ବିଦ୍ରୁପ କରେ ନାହିଁ କେବେ
ହସେ ନାହିଁ କିରିକିରି ।
ରାତି ଘଡିକରୁ ଉଠି ଯାଏ ସିଏ
ଛେରା ପାଣି ଦେଇ ଦିଏ
ଘର ଅଗଣାଠୁ ସେ ଦାଣ୍ଡ ଦୁଆର
ଝାଡୁ ମାରି ଦିଏ ସିଏ ।
କାଉ କା' କା' କରିବା ଆଗରୁ
ନିତ୍ୟ କର୍ମ ସାରି ଦିଏ
ଦାଣ୍ଡ ପିଣ୍ଡା ପରେ ମୁହଁ ଧୁଆ ପାଇଁ
ଜଳ ଢାଳ ଧୋଇ ଥାଏ ।
ସୁରୁଯ ଉଇଁବା ଆଗରୁ ସିଏ ତ
ସ୍ନାହନକୁ ସାରି ଦିଏ
ତୁଳସୀ ମୂଳରେ ଜଳ ସେ ଦେଇଣ
ସୂର୍ଯ୍ୟେ ଜଳ ଅର୍ପି ଥାଏ ।
ଭକ୍ତି ବିଶ୍ୱାସରେ ଠାକୁର ପୂଜଇ
ଖାଇବା ପ୍ରସ୍ତୁତ କରେ
ପାତର ଅନ୍ତର ନୀତିକୁ ସେ ଛାଡି
ପରଶି ଥାଏ ଶ୍ରଦ୍ଧାରେ ।
ନୀତି ନିୟମର ସଣ୍ଠଣା ରଖଇ
ପାଳେ ପୂଜା ବିଧି ବ୍ରତ
ଘର ଅଗଣାକୁ ପରିଷ୍କାର ରଖି
ନିଜେ ରୁହେ ପରିଷ୍କୁତ ।
ସମସ୍ତଙ୍କୁ ନେଇ ଗଢେ ପରିବାର
ହୁଏ ନାହିଁ କେବେ ଭିନେ
ବନ୍ଧୁ ବାନ୍ଧବଙ୍କ ସମନ୍ବୟ ରଖେ
ଶୁଣେନି କାହା କଥା କାନେ ।
ପର କଥା ଶୁଣି ଘର ସେ ଭାଙ୍ଗେନି
ଅଶାନ୍ତି ସୃଷ୍ଟି କରେନି
ଛଳନା କପଟେ ଅଭିନୟ କରି
ଘରକୁ ସିଏ ଭାଙ୍ଗେନି ।
ଶାଶୁଘର କଥା ବାହାରେ ବିକେନି
କୁହେ ନାହିଁ ବାପ ଘରେ
ଦୁଃଖ ସୁଖ ହେଉ ସବୁ ସହି ସିଏ
ରୁହେ ସେଇ ପରିବାରେ ।
ପରକୁ ଆପଣା କରି ଚଳି ଯାଏ
ହୁଏ ନାହିଁ ପଥଭ୍ରଷ୍ଟ
ଯେତେ ଅଭାବ ତା ଜୀବନରେ ଆସୁ
ଚରିତ୍ର କରେନା ନଷ୍ଟ ।
ମଥାରୁ ଓଢଣା ଖସେ ନାହିଁ ତାର
ହୁଏନି ସେ ବାରବୁଲି
ପର କଥେ ମାତି କଜିଆ କରି ସେ
ବାପଘର ଯାଏନି ଚାଲି ।
କୁଳବଧୂ ବୋଲି ଭୁଲି ସେ ଯାଏନି
ଭୁଲେନି ସେ କାହା ବୋହୂ
ଉଗ୍ର ବ୍ୟବହାର କାହାକୁ କରେନି
କଥାରୁ ଝରେ ତା ମହୁ ।
ଉଦଣ୍ଡୀ ସ୍ବଭାବ ନ ଥାଏ ତା ପାଖେ
ସହନଶୀଳତା ଥାଏ
ସବିନମ୍ରେ ସଦା ମଥାନତ ହୋଇ
କଥା କହୁଥାଏ ସିଏ ।
ଅଣ୍ଡିରା ପ୍ରକୃତି ଆଚରଣ ତାର
ପାଖେ ଦେଖା ଯାଏ ନାହିଁ
ଏମିତି ଅନେକ ଗୁଣ ରହିଥିଲେ
କୁଳବଧୂ ସିନା ସେହି ।
ସ୍ବାମୀ ଶାଶୁ ଶଶୁରଙ୍କ କଥା ମାନେ
ସେବା କରେ ମନ ଜାଣି
ମିଛ ଅଭିନୟ କରେ ନାହିଁ କେବେ
କାହା ହୃଦୟ ନ ଥାଏ ହାଣି ।
ପତିବ୍ରତା ନୀତି ଆଚଇ ସଦା
ରଖେନି ଅନ୍ୟ ପୁରୁଷ
ଅର୍ଥ ପୀପାଷୁର ଲୋଭ ତାକୁ କେବେ
କରି ପାରେ ନାହିଁ ଗ୍ରାସ ।
କଳେହୀ ଅଳସୀ ହୁଏ ନାହିଁ କେବେ
ନ ଥାଏ କୁତ୍ସିତ ଭାବ
କଥାରେ କଥାରେ ବାପଘର ଟେହି
ମନେ ଆଣେନି ସେ ଗର୍ବ ।
ମିଛ ବାହାସ୍ଫୋଟ ମାରି କହେ ନାହିଁ
କଥା ବଡ ବଡ ସିଏ
ଘରର ସଂସ୍କାର ମର୍ଯ୍ୟାଦା ରଖେ ସେ
ନା ପଳେଇ ଯାଇଥାଏ ।
ପର ଧନ ଆତ୍ମସାତ୍ କରେ ନାହିଁ
ନା ପକାଇ ଥାଏ ଆଖି
କଳେ ବଳେ ଯଦି ଲୁଣ୍ଠନ କରେ ସେ
ଚିର ଦିନ ହୁଏ ଦୁଃଖୀ ।
ଅର୍ଦ୍ଧାଙ୍ଗିନୀ ନାରୀ ହୋଇଥାଏ ବୋଲି
ସ୍ବାମୀ ତାର କଷ୍ଟ ପାଏ
ପତ୍ନୀ ପୁଣ୍ୟ ବଳେ ସ୍ବାମୀଟି ପୁଣି ତା
ସେ କଷ୍ଟୁ ଉଦ୍ଧାର ପାଏ ।
ସତୀ ଅନସୂୟା ସତୀ ସ୍ବାଧୀ ସୀତା
ଭୁଲନି ସାବିତ୍ରୀ କଥା
ସବୁବେଳେ କୁଳ ପଦ ମର୍ଯ୍ୟାଦାରେ
ଉଚ୍ଚ ରଖ ନିଜ ମଥା ।
ହାରିବା ଜିତିବା ନାରୀ ହାତେ ଥାଏ
ଧର୍ମପରାୟଣ ସିଏ
ଅଧର୍ମ କୂଳଟା ହୁଏ ଯେବେ ସିଏ
ଲୁହରେ ସେ ଭାସି ଥାଏ ।
କୁଳବଧୂଟିଏ ଯାର ଘରେ ଥାଏ
ଉଜ୍ଜଳ ହୁଏ ସେ ଘର
ଲକ୍ଷ୍ମୀଙ୍କର ବାସ ସେଠି ରହିଥାଏ
ଖୁସି ଝରେ ନିରନ୍ତର ।
ଆଜିକାଲି କୁଳବଧୂ ଦୂରାସ୍ବପ୍ନ
କୋଟିକେ ଗୋଟିଏ ଥାଏ
ଯାହା ଭାଗ୍ୟ ଉଜ୍ଜଳ ହୋଇଥାଏ ସିଏ
ସିଏ ତାକୁ ସିନା ପାଏ ।
ଅଣ୍ଡିରୀ, ଉଦଣ୍ଡୀ,ଲମ୍ପଟୀ କପଟୀ
ଅନେକ ଅଛନ୍ତି ନାରୀ
ସେମାନଙ୍କୁ କୁଳବଧୂ ଆଖ୍ୟା ଦେଲେ
ଘର ହୁଏ ହତଶିରୀ ।
କଳବଧୂ ଲକ୍ଷଣ ଯାହା ପାଖେ ଥାଏ
କୁଳବଧୂ ସିନା ସେହି
ଅନ୍ୟମାନେ ଯେତେ ବାଡେଇ ହୁଅନ୍ତୁ
ପଦବାଚ୍ଯ କେବେ ନୋହି ।