କୁହୁଳି ଉଠଇ ଧୂଆଁ
କୁହୁଳି ଉଠଇ ଧୂଆଁ
ବିଲୁପ୍ତ ହେଉଛି ଜାତି ଓ ପ୍ରଜାତି
ଘଟୁଛି ମହାବିନାଶ
କ୍ରମ ବିବର୍ତ୍ତନ ପ୍ରକ୍ରିୟା ଜଟିଳ
ଅଲୋଡା ହୁଏ ମଣିଷ ।
ଆଖି ଦେଖିଥିବା କେତେ ଜୀବଜନ୍ତୁ
ଉଭେଇ ଗଲେଣି ଏବେ
ଦିଶୁ ତ ନାହାନ୍ତି ଧଳା ଶଙ୍ଖଚିଲ
ଘରଚଟିଆ ବି ମୋଟେ ।
କାଉ ଓ ଶାଗୁଣା ହଳଦୀବସନ୍ତ
ଅନେକ ପକ୍ଷୀ ପ୍ରଜାତି
ନଜର ପଡନ୍ତି ବିରଳ ଭାବରେ
କଦବା ଅବା କେଉଁଠି ।
ପୃଥିବୀ ପୃଷ୍ଠରେ ମିଳଇ ଜୀବାଶ୍ମ
ବହୁ ଜୀବ ଅତିକାୟ
ଅବଲୁପ୍ତ ଆଜି ନାହିଁ ତ ଅସ୍ତିତ୍ୱ
ବିଶାଳ ଡାଇନୋସର ।
ଆବଶ୍ୟକ ନାହିଁ ହଳକୁ ବଳଦ
ହାଣକୁ ନିଏ କ°ସାଇ
ସମ୍ବଳ ଅଭାବୁ ଛାଡିଲେଣି ବୃତ୍ତି
କୁମ୍ଭାର ତନ୍ତୀ ବଢେଇ ।
ବଦଳେ ସମୟ ପ୍ରଯୁକ୍ତି ପଦ୍ଧତି
ମହାଯନ୍ତ୍ର ଉଦ୍ଭାବନ
ବଢାଏ ବେକାର ବ
ିନାଶେ ପ୍ରବୃତ୍ତି
ଅଲୋଡା କରମ ଧର୍ମ ।
ଅଭିଜ୍ଞତା ଗୁଣ ସମ୍ପନ୍ନ ମଣିଷ
ବୟପ୍ରାପ୍ତ ବୃଦ୍ଧ ବୃଦ୍ଧା
ଲାଳନ ପାଳନେ ସମାଜେ ହୁଅଇ
ଅବହେଳା ଅସୁବିଧା ।
ବିଲୁପ୍ତି ପଥରେ ସମ୍ବନ୍ଧ ସମ୍ପର୍କ
ସାମାଜିକ ନୀତିପ୍ରଥା
କ୍ରିତଦାସ ଏବେ ଯାନ୍ତ୍ରିକ ମାନବ
ଭୁଲିଯାଏ ମାତୃଭାଷା ।
ପବିତ୍ର ବନ୍ଧନ ସୂତ୍ର ପ୍ରଜାପତି
ବିବାହ ପାଣିଗ୍ରହଣ
ନାମକୁ ମାତର ବୈକୁଣ୍ଠ ସମାନ
ପରିବାର ପ୍ରହସନ ।
ସଭ୍ୟତା ନାମରେ ବିବେକ ଶୂନ୍ୟତା
ଆଚରେ ମୁର୍ଖ ମଣିଷ
ଆସୁଅଛି ମାଡି ରୋଗ ମହାମାରୀ
କୁଫଳ ମହାବିନାଶ ।
ସବୁଜ କୋଠରୀ ପୃଥିବୀ ଉତ୍ତପ୍ତ
କୁହୁଳଇ କଳାଧୂଆଁ
ବଞ୍ଚିବା ଜୀବନ ହେଉଛି ଦୂରୁହ
ଲୁପ୍ତ ମଣିଷପଣିଆ ।
-------