କୁହ ହେ ଗୋସେଇଁ
କୁହ ହେ ଗୋସେଇଁ
କୁହ ହେ ଗୋସେଇଁ ତୁମେ କାହିଁ ପାଇଁ
ଶ୍ରୀମନ୍ଦିରୁ ଲକ୍ଷ୍ମୀ ମାଙ୍କୁ ଦେଲ ଘଉଡାଇ
ଶବରୀ ଅଇଁଠା ଖାଇ
ଜାତି ତୁମ ଗଲା ନାହିଁ
ଦାସିଆ ନଡ଼ିଆ ନେଇ
ଅଛବ ତ ହେଲ ନାହିଁ ।
ସାରା ଜଗତର ଯିଏ ପଡ଼ିଦାତ୍ରି
ତାଙ୍କୁ କି ବୋଲିଲ ଜାତି କି ଅଜାତି
ପୁରୁଷ ପଣରେ ଯାଏନି କି ଜାତି
ସ୍ତ୍ରୀରି ଜାତି ବୋଲି କଲ ପକ୍ଷପାତି
ଜଗତ କଲ୍ୟାଣ ପାଇଁ
କେତେ ଦୁଃଖ ସହି ସହି
ଉପବାସେ ରହି ରହି
ଶରଣ ପଶିଲ ଯାଇ
ଶେଷେ ଲକ୍ଷ୍ମୀ ପାଶେ କଳା କହ୍ନେଇ ।
ଘରର ଘରଣୀ ଗୃହ ଲକ୍ଷ୍ମୀ ମଣି
ସଂସାରରେ ସ୍ଥାନ ଦିଏ ତାକୁ ଜାଣି
ଲକ୍ଷ୍ମୀ ଛଡା କେବେ ଜୀବନେ ହେବନି
ଜଗତରେ ଦେଲ ଏ ବାରତା ବୁଣି
ତୁମ ପରି ପ୍ରଭୁ କାହିଁ
ଜଗତରେ କେହି ନାହିଁ
ଜଗତ ଉଦ୍ଧାର ପାଇଁ
ସବୁ ଦୁଃଖ ଯାଅ ସହି
ନିଜେ ତ ନିଜର ଦୃଷ୍ଟାନ୍ତ ହୋଇ ।