STORYMIRROR

CHINMAYEE PRADHAN

Abstract Classics

4  

CHINMAYEE PRADHAN

Abstract Classics

କଥାରେ କଥାରେ ଏକସ୍ତରୀ ବର୍ଷ

କଥାରେ କଥାରେ ଏକସ୍ତରୀ ବର୍ଷ

1 min
732

କଥାରେ କଥାରେ ଏକସ୍ତରୀ ବର୍ଷ        

     ଗଲା  ଅତିକ୍ରମ  କରି,

ଭାରତର ଆତ୍ମା ଝୁରେ ସେ ଦିନକୁ

     କାନ୍ଦେ ଗୁମୁରି ଗୁମୁରି।


ପରାଧୀନତାର ନିଗଡ଼ ଛିଡ଼ାଇ

      ବନ୍ଦିନୀ ପାଇଲା ମୁକ୍ତି,

ଇଂରେଜ ଶାସନ ହଟିଗଲା ଦେଶୁଁ

      ହେଲୁ ଆମେ ଗଣତନ୍ତ୍ରୀ। 


ଗଣତନ୍ତ୍ର ଚାଲେ ନାମକୁ ମାତର

     ବଂଶତନ୍ତ୍ର ପ୍ରକୃତରେ, 

ରାଜା ପୁଅ ଏଠି ରାଜା ହେଉଅଛି 

     ଗଣକୁ କିଏ ପଚାରେ ।


ସତ୍ୟ ଅହିଂସାର ମନ୍ତ୍ର ବଳରେ ତ

     ସ୍ଵାଧୀନତା ପାଇଥିଲ, 

ମୁକ୍ତ ବିହଙ୍ଗ ହେ ସ୍ୱାର୍ଥୀ ହୋଇ କାଇଁ 

     ହିଂସା ବ୍ରତ ଆଚରିଲ ।


ଦେଶ ମେରୁଦଣ୍ଡ ଶିକ୍ଷା ବ୍ୟବସ୍ଥାଟା

     ଭୁଶୁଡ଼ି ପଡ଼ିଛି ଆଜି, 

ସୁଶିଷ୍ୟ ନୁହଁଇ ଗୋଲାମ ତିଆରି 

     କରୁଛ ଦଲାଲ ସାଜି ।


ସ୍ୱାସ୍ଥ୍ୟସେବା ଭଲ ବ୍ୟବସାୟ କରେ 

     ବ୍ୟକ୍ତିଗତ କ୍ଲିନିକରେ, 

ଚିକିତ୍ସା କରନ୍ତି ଡାକତର ବାବୁ 

     ଧନ ଥିଲେ ପକେଟରେ। 


ଆଇନ ବାନ୍ଧିଛି ଆଖିରେ ପୁଟୁଳି 

     ଦୋଷୀକୁ ମିଳେନା ଦଣ୍ଡ, 

ନେତାଙ୍କ ଚାମଚା ପୁଲିସ ଓକିଲ

     ଟଙ୍କା କରୁଥାନ୍ତି ରୁଣ୍ଡ।


ସମ୍ବିଧାନ କହେ ଜାତି ଧର୍ମ ବର୍ଣ୍ଣ 

     ଭେଦଭାବ କିଛି ନାହିଁ, 

ହେଲେ ଧର୍ମନାମେକେତେଦଙ୍ଗାଚାଲେ

     ନିଆଁ ଜଳେ ଲିଭେ ନାହିଁ। 


କୃଷକ ଶ୍ରମିକ ବେଉସା ହରାଇ 

     ବିଦେଶେ ଦାଦନ ଖଟେ, 

ତାହାରି ଟଙ୍କାରେ ମାଗଣା ଚାଉଳ 

     ସର୍କାର ଲୋକଙ୍କୁ ବାଣ୍ଟେ। 


ଦେଶ ଭବିଷ୍ୟତ ଯୁବକ ସାମାଜ 

     ନିଶାର କବଳେ ପଡି, 

ଚୋରି ଡକାୟତି ଯେତେକ ଅନୀତି

     କରେ ଲଜ୍ଜା ଭୟ ଛାଡି। 


କଥାରେ ବିତିଲା ଏକସ୍ତରୀ ବର୍ଷ 

     ମନେ ଟିକେ ଆଣ ହେଜ, 

ଉତ୍ଥିତ ଜାଗ୍ରତ ହୁଅ ଆହେ ବୀର

     ଦେଖାଅ ତୁମର ତେଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract