କଥା ରହିବ କାଳକାଳକୁ
କଥା ରହିବ କାଳକାଳକୁ
ଗୋଟିଏ ମଞ୍ଚରେ ତୁମେ ବସିଥିବ
ମୁଁ ବସିଥିବି ତୁମ ପାଖକୁ
ତୁମେ ହସୁଥିବ ମୁଁ ହସୁଥିବି
କହୁଥିବ ଜଗଜ୍ଜନକୁ,
ସେବିବି ପଦ ଯୁଗଳକୁ
ତୁମେ ସେବ୍ୟ ମୁଁ ଯେ ସେବକ ତୁମର
କଥା ଥିବ କାଳକାଳକୁ ।
ଗୋଟିଏ ଥାଳିରେ ତୁମେ ଖାଉଥିବ
ମୁଁ ଖାଇବି ସେ ପ୍ରସାଦକୁ,
ବିଞ୍ଚି ଦେଉଥିବି ତୁମ ଦାସ ହୋଇ
ଧନ୍ୟ ମଣୁଥିବି ନିଜକୁ,
ଲଭିବି ଶ୍ରୀଅଙ୍ଗ ବାସକୁ
ବିଛାଇ ଦେବି ମୁଁ ହୃଦ ପଦ୍ମାସନ
ବିଶ୍ରାମେ ସନ୍ତୋଷ ତୁମକୁ ।
କହି ବୁଲିବି ଏ ଜଗତ ଆଗରେ
ଦାସାନୁଦାସ ସେବକ ମୁଁ,
ଯାହା କହୁଥିବ ସବୁ ଶୁଣୁଥିବି
ଶେଷରେ ନିଶ୍ଚୟ ମାରିବି ହୁଁ,
ମାଲିକ ତୁମେ ମୋ ଚାକର ମୁଁ
ଏହି ଅଳି ଏଇ ଗୁହାରୀ ମୋହର
ରଖିବ ନିଶ୍ଚୟ ହେ କଳାକାହ୍ନୁ
କିଛି ଲୋଡାନାହିଁ ହେ ମହାବାହୁ ।
