STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

କସ୍ତୁରୀ ମୃଗ

କସ୍ତୁରୀ ମୃଗ

1 min
542


ସକାରାତ୍ମକ ଏ ସଂସାର,

ଦେଇଛନ୍ତି ସବୁ ଈଶ୍ୱର,

ମନ କଳୁଷିତ ଭାବନା ତାକୁ କରେ ନକାର,

ଅପ୍ରାପ୍ତି ମନରେ ବଢ଼ିଲେ ପ୍ରାପ୍ତି ହୁଅଇ ଦୂର।


ମନ୍ଦ ବୋଲି କିଛି ନାହିଁଟି,

ଆଲୋକ ନିଷ୍ପ୍ରଭ ହେଲେଟି,

ଅନ୍ଧକାର ଆସେ ଯେପରି, ଭଲ ଭାବନା କ୍ଷର,

ହୋଇ ମନ୍ଦ ଅନୁଭବଟି କରେ କାୟା ବିସ୍ତାର।


କରୁଣାର ଉଣା ହୋଇଲେ,

କ୍ରୂରଭାବ ମନେ ଚହଲେ,

ଅମଣିଷ ହୁଏ ମନୁଷ୍ୟ ଦୟା ଭାବ ନଥିଲେ,

ବିଷ ହୋଇଯାଏ ଅମୃତ ଏକ ବିନ୍ଦୁ ପଡ଼ିଲେ।


କୋମଳ ଭାବନା ମନର,

ଦୂର ହେଲେ ପ୍ରାଣୀ ନିଷ୍ଠୁର,

ଦୟା ଚନ୍ଦ୍ରାତପ କରଇ ପୁଷ୍ଟ ଶାନ୍ତି ବନର 

ପ୍ରକୃତି ବିକୃତି ଘଟିଲେ ରୁଷ୍ଟ ହେବେ ଈଶ୍ୱର।


ନିର୍ମଳ ମନକୁ ଆବିଳ,

କରଇ କୁଚିନ୍ତା ସକଳ,

ପୋଖରୀ ଆବଦ୍ଧ ଜଳରେ ସୃଷ୍ଟି ହୁଅଇ ଦଳ,

ନଦୀଜଳ ଦେଖ ବହଇ ଛଳ ଛଳ ନିର୍ମଳ।


ଦୁଇ ପକ୍ୱଫଳ ହାତରେ,

ଧରାଇଛି ଜଣେ ବିଶ୍ୱରେ,

ଏକ ନାମ ଶାନ୍ତି ଅପର ନାମ ଅଶାନ୍ତି ଜାଣ,

କେଉଁ ଫଳ ତୁମ୍ଭେ ଖାଇବ ମନ ଦେବ ପ୍ରମାଣ।


ତୁମ୍ଭ ବିନା ଅନୁମତିରେ,

ଅଶାନ୍ତି କେ ଦେଇ ନପାରେ,

ଶାନ୍ତିବନ ରାସ୍ତା ପଡ଼ିଛି ଦୀର୍ଘ ମନଭିତରେ,

ସେ ବନର ପଥ ହୁଡୁଛ ଭ୍ରମି ମରୁବାଲିରେ।


ଦୟା,କ୍ଷମା ଧର୍ମ ଆଚରି,

ସକାର ପଥକୁ ଆଦରି,

ପ୍ରଭୁଙ୍କର ଆଶୀର୍ବାଦରେ ବିତି ଯାଉ ଜୀବନ

ନିଜ ଦେ‌ହେ ଅଛି କସ୍ତୁରୀ ଗନ୍ଧ କର ଆଘ୍ରାଣ।


ସଫଳତା ଚାବି ଧରିଛ,

ତାଲା ଖୋଲୁ ନାହିଁ ଭାବୁଛ

କଳଙ୍କି ଲାଗିଛି ତାଲାରେ ତେଲ ଦିଅ ପକାଇ,

ଥରେ ଖୋଲିଗଲେ ସେ ତାଲା ଆଉ ପଡ଼ିବ ନାହିଁ। 


ଅମୃତମୟ ଏ ସଂସାର,

ଦେଖ ପ୍ରକୃତିର ସମ୍ଭାର !

ମୃତ୍ୟୁ ଡର କିଆଁ ଅଧୀର କରଇ ଅନୁକ୍ଷଣ,

ସୃଷ୍ଟି ହେଲେ ଲୟ ନିଶ୍ଚିତ ପ୍ରକୃତିର ପ୍ରମାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational