କୃଷ୍ଣ ମୋ ପରାଣ ନେବେ
କୃଷ୍ଣ ମୋ ପରାଣ ନେବେ
ଯେତେବାର ସଖି ମନେ ଭାଳୁଅଛି
ଚିନ୍ତିବିନି କୃଷ୍ଣ କଥା
ସେତେ ବେଶୀ ତାଙ୍କ ଭାବନାରେ ବୁଡ଼ି
ପାଉଛି ଦାରୁଣ ବ୍ୟଥା ।
ସେ ନୀଳ ତନୁର ଅପରୂପ କାନ୍ତି
ନେତ୍ର ଆଗେ ଉଠେ ନାଚି
ବଇଁଶୀର ସ୍ଵନ ଶୁଣାଯାଏ ସଦା
କାନ ମୁଦିଲେ ବି ସଖି ।
ହେଇ ଯେମିତି କେ ଆସିଗଲା ଭଳି
ଲାଗୁଅଛି ବାରବାର
ସେଥିପାଇଁ ମୁହିଁ ଚମକି ଧାଉଁଛି
ଅଗଣାକୁ ଥରଥର ।
କୃଷ୍ଣ ସଙ୍ଗେ ଭାବ ରଖିବିନି ବୋଲି
କହିଦେଲି ସିନା ରୋଷେ
ଶୟନେ ସପନେ ଅବା ଜାଗରଣେ
ସେଇ ନାମ ଖାଲି ଘୋଷେ ।
କି ବୁଦ୍ଧି କରିବି କେଣିକି ମୁଁ ଯିବି
କହ ସଖି ମୋତେ ଏବେ
ବୁଝି ସାରିଲିଣି ଭେଳିକି ଲଗାଇ
କୃଷ୍ଣ ମୋ ପରାଣ ନେବେ ।

