STORYMIRROR

chhabinabala Senapati

Classics Inspirational

4  

chhabinabala Senapati

Classics Inspirational

କୃଷ୍ଣ ଜନ୍ମ ଜଗତ ଆନନ୍ଦ

କୃଷ୍ଣ ଜନ୍ମ ଜଗତ ଆନନ୍ଦ

1 min
26

ଜୟ ଜଗନ୍ନାଥ 
କୃଷ୍ଣ ଜନ୍ମ ଜଗତ ଆନନ୍ଦ 

___________________

ଧରା ପୁଲକିତ ବୃକ୍ଷ ପ୍ରସ୍ଫୁଟିତ 
ରୌପ୍ୟ ଝରା ଇନ୍ଦୁମତି,
ରସମୟ ପ୍ରୀତି ବିହଗର ନାଦ
ଛନ୍ଦମୟ ମଧୁଗୀତି।

ମଧୁ ମାଧୁରୀମା ସୁଗନ୍ଧ ମଳୟ 
ଚହଟଇ ରସ ଭରେ,
ଗ୍ରାମ ଠୁ ସହର କୋଳାହଳ ମୟ 
ଅମୃତ ର ବର୍ଷା ଝରେ।

ମଧୁର ଯାମିନୀ ନାଚନ୍ତି କାମିନୀ 
ଶଙ୍ଖ ହୁଳହୁଳି ଧ୍ୱନି,
ବେଦ ଧ୍ୱନି ନାଦେ ତ୍ରିଭୁବନ କମ୍ପେ
କୃଷ୍ଣ ଜନ୍ମ ହେବେ ଜାଣି।

ଯମୁନା ଫୁଲୁଛି କଦମ୍ବ ଝୁଲୁଛି 
ଝୁମୁଛନ୍ତି ଗୋପୀମାନେ,
ନୃତ୍ୟ ବାଦ୍ୟ ଗୀତ ରଙ୍ଗ ରସ ଭରେ 
ଶୃଙ୍ଗାରିତ ବିଭୂଷଣେ।

ସୁନା ଝୁଲଣରେ ଝୁଲୁ ପୀତବାସ 
ଫୁଲ ଝୁଲଣରେ ଝୁଲ୍
ରାଧା ରାଣୀ ସଙ୍ଗେଝୁଲ୍ ନନ୍ଦବଳା 
କ୍ଷୀର ସର ଖାଇ ଫୁଲ୍।

ଗୋପୀ ଙ୍କ ମେଳରେ ଝୁଲ୍ ଗୋପୀନାଥ 
ଯଶୋଦା କୋଳରେ ଝୁଲ୍,
ମୋ କୋଳ ଝୁଲଣା ତୋ ପାଇଁ ରଖିଛି 
ଲୁଚକାଳି ଖେଳି ବୁଲ୍।

ବାଙ୍କ ଚୁଳିଆ ମୋ ଗୁଞ୍ଜରା ମାଳିଆ 
ତୁଳସୀ ରସିଆ କାହ୍ନୁ,
ମୟୂର ପୁଛିଆ କଦମ୍ବ ମୂଳିଆ 
ଚିକ୍କଣ କାଳିଆ ତନୁ।

ଲବଣୀ ଚୋରିଆ ଗୋପୀ ରସିକିଆ 
ଯଶୋଦା ଗଳା ମାଳିଆ।
ତ୍ରିଭଙ୍ଗୀ ଛନ୍ଦରେ ଚାଲେ ଢଳିଢଳି
ପାଟ୍ଟ ହଳଦୀ ରଙ୍ଗିଆ।

ଦନ୍ତ ଓଠ ଧାରେ ଡାଳିମ୍ବ ପାଖୁଡା 
ସ୍ମିତ ହାସ୍ୟ ରେଖା ମୁଖ,
କି ଉପମା ଦେବି ସବୁ ତ ନିଷ୍ପ୍ରଭ 
ଦିବ୍ୟ ମୁଗ୍ଧ ରୂପ ରେଖ।

ଟିପି ଟିପି ଶୋହେ ଚନ୍ଦନ ର ଟିପା 
ମୟୂର ଚନ୍ଦ୍ରିକା ଗାର,
ଲଲାଟରେ ଶୋହେ ସୁବର୍ଣ୍ଣ ର ଟୀକା 
ନୟନେ କଜ୍ଜଳ ଧାର।

କୁଞ୍ଚିତ କୁଣ୍ଡଳ ଗଳେ ପୁଷ୍ପମାଳ 
ହୃଦରେ କୌସ୍ତୁଭ ମଣି,
ପାଦରେ ନୂପୁର ରୁଣୁଝୁଣୁ ନାଦେ 
ଛନ୍ଦା ପାଦେ ବେଣୁପାଣି।

କୋଟି କନ୍ଦର୍ପ କୁ ନିନ୍ଦେ ମୁଖ କାନ୍ତି 
ବିମୁଗ୍ଧ ଅପୂର୍ବ ଠାଣୀ,
ଝଲମଲ ଦିଶେ ନୀଳମଣି କାନ୍ତି 
ରସ ରାସ ଚକ୍ରପାଣି।

ବୃନ୍ଦାବନ ଚନ୍ଦ୍ର ରସିକେନ୍ଦ୍ର ମୌଳି 
ତୁମ ଠାରେ ମନ ପ୍ରାଣ,
ନିଧିବନ ଦିନେ ଦେଖାଇବ ନେଇ 
ରହିଲା ମୋହର ରାଣ।

ଛବିନା ବାଳା ସେନାପତି ଚୌଦ୍ବାର କଟକ।🙏🏻🙏🏻


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics