କରୋଣା ଚଉତିଶା
କରୋଣା ଚଉତିଶା


କହଇ ମନ ଆରେ ମାନ ମୋ ବୋଲ
କରୋଣା ଡରେ ଘରେ ରହିବା ଭଲ ।
ଖଟିକୁ ଏବେ ଜମା ଯାଅନି ଆଉ
ଖଞ୍ଜେ କରୋଣା ଗ୍ରାସି ସାଧୁଛି ଦାଉ ।
ଗହଳୀ କରନାହିଁ ହାଟ ବଜାର
ଗଳିକନ୍ଦି ସବୁଠି କରୋଣା ଡର ।
ଘଡି ଘଡ଼ିକେ ହାତ ଧୋଇବା ଭାଇ
ଘରେ ବନ୍ଧୁ ବାନ୍ଧବ ଡାକିବା ନାହିଁ ।
ଉଜାଣି ବହୁ ଅଛି ବାଆ ବତାସ
ଉତ୍ତରରୁ ଦକ୍ଷିଣତ ସବୁ ହତାଶ ।
ଚକାଡୋଳା ତ ଏକା ଭରଷା ଆମ &
nbsp;
ଚିତ୍ତେ ଚିନ୍ତୁଥା ନିତି ତାଙ୍କରି ନାମ ।
ଛୁଆଁ ବେମାରୀ ବୋଲି ଲାଗୁଛି ଡର
ଛନକା ପସେ କେହି ଆସିଲେ ଘର ।
ଜଗି ଚଳିଲେ ରୋଗ ଡେଇଁବ ନାହିଁ
ଜାଗତିଆର ସଦା ରହିବା ଭାଇ ।
ଝଗଡା କରିବାନି ଯୋଦ୍ଧା ଙ୍କ ସାଥେ
ଝଞ୍ଜା ପବନ ସହି ଖଟନ୍ତି କେତେ ।
ନିଜର ବୋଲି ତାଙ୍କୁ ଭାବିବା ଆମେ
ନିଶ୍ଚୟ ସହଯୋଗ କରିବା କାମେ ।
ଟାଉଟରଙ୍କ କଥା ଶୁଣିବା ନାହିଁ
ଟିକି କଥାକୁ ବଡ କରନ୍ତି ସେହି ।
ଠକମାନେତ ଏବେ ବୁଲନ୍ତି ଯେତେ
ଠାରରେ କାରବାର କରନ୍ତି କେତେ ।
ଡରିବା ଆମେସିନା ରୋଗକୁ ଭାଇ
ଡରିବା ନାହିଁ ଜମା ରୋଗୀଙ୍କୁ କେହି ।
ଢଳଢଳ କମଳ ପ୍ରାୟ ଜୀବନ
ଢଳି ପଡଇ ଯିଏ ଅବୁଝା ଜାଣ ।
ନଜର ଦିଅ ସଦା ଚଉପାଶକୁ
ନିରେଖି ପରଖତ ଭଲମନ୍ଦ କୁ ।
ପର ଆପଣା ସବୁ ସମାନ ଏବେ
ପାଖ ଲୋକଙ୍କୁ ଚିହ୍ନି ହୁଏନି କେବେ ।
ଫାଙ୍କା ଫାଙ୍କା ତ ଏବେ ଲାଗୁଛି ଯିଏ
ଫାଙ୍କରେ ଦେଖ କେତେ ଯାତନା ଦିଏ ।
ବଡ ବିଚିତ୍ର ଏହି ରୋଗ କରୋଣା
ବଡ କି ସାନ ସେତ କିଛି ମାନେନା ।
ଭରଷା ଏବେ ପ୍ରଭୁ କଳା ଠାକୁର
ଭଜିଲେ କରୋଣା ଠୁ ହେବୁ ଉଦ୍ଧାର ।
ମଣିମା କଲେ ଦୟା ମିଳିବ ମୁକ୍ତି
ମହାମାରୀ କରୋଣା ଯିବରେ ହଟି।
ଯାତନା ଦିଏ ବେଶି ମନକୁ ଏହା
ଜୀଇବା ପାଇଁ ନିଏ ଛଡାଇ ରାହା ।
ରାଜାକି ପରଜା ଏ କିଛି ମାନେନି
ରହିଲେ ନିସଙ୍ଗରେ ପାସେ ପସେନି ।
ଲକ୍ଷ ଲକ୍ଷ ବଢନ୍ତି ବଡ ଦୁର୍ଯୋଗ
ଲକ୍ଷଣ ନଥାଇବି ରହୁଛି ରୋଗ ।
ବହୁଛି ସତେ ଏବେ କାଳ ପବନ
ବଡ ବିଷମେ ଏବେ ଜୀଇବା ଜାଣ ।
ହସିବ କେବେ ଧରା ହେଉନି ଭାବି
ହତଶିରି ଦୁନିଆ କରୋଣା ଲାଗି ।
କ୍ଷମା ସାଗର ପ୍ରଭୁ କର କରୁଣା
କ୍ଷିତି ରୁ ଯାଉ ଦୂରେ ରୋଗ କରୋଣା ।