କରୋନା ଆତଙ୍କ
କରୋନା ଆତଙ୍କ
ହେ ବୀର ମାଟିର ସୁଯୋଗ୍ୟ ସନ୍ତାନ
ସମୟ ଦିଏ ଡାକରା,
କରୋନା ପ୍ରଭାବେ ତ୍ରାହି ତ୍ରାହି ଶୁଭେ
ଏ ସମଗ୍ର ବସୁନ୍ଧରା ।
ତୋହରି ଆଗରେ ବଳି ପଡୁଛନ୍ତି
ତୋର ଆତ୍ମୀୟସ୍ବଜନ ,
ବୁକୁଫଟା ଦୃଶ୍ୟ ଦେଖି ଆହେ ବୀର
ରହିଛୁ ତୁହିଁ ମଉନ ।
ମୁଖାଗ୍ନି ଦେବାକୁ ପୁଅ ନୁହେଁ ଯୋଗ୍ୟ
ସମାଜରେ ହୀନିମାନ,
ଚାରିକାନ୍ଧ ସହ ଆଉ ଲୋଡ଼ା ନାହିଁ
ବନ୍ଧୁ ଭାଇ ପରିଜନ ।
ଶୁଭୁ ନାହଁ ଆଉ ରାମନାମ ଶବ୍ଦ
ପଡୁନି ଖଇ କଉଡ଼ି ,
କରାଳ ରୂପରେ କରୋନା ଆସୁଛି
କାଳରୁପେ ମାଡ଼ି ମାଡ଼ି ।
ଛୁଇଁବାକୁ ଶବ କରୁଛନ୍ତି ଭୟ
ପତ୍ନୀ ଦୁହିତା ସନ୍ତାନ ,
କରୋନା ଜନିତ ଅକାଳରେ ମୃତ୍ୟୁ
ଶୁଭେ ବ୍ୟାକୁଳ କ୍ରନ୍ଦନ ।
ବାହୁନି ବାହୁନି ଆକୁଳ କ୍ରନ୍ଦନ
କରନ୍ତି ଭୂମିରେ ଲୋଟି ,
ଶେଷଥର ଦେଖା ନ କରି ଫେରନ୍ତି
ନିଜ ନିଜ ଭିଟା ମାଟି ।
ପାଖ ପଡୋଶୀରୁ ଆସିବେନି କେହି
ଆହା କରିବାକୁ ଥରେ ,
ଶେଷଦେଖା କେବେ ହୋଇ ପାରିବନି
ଆଉ ଏହି ଜୀବନରେ ।
ରକ୍ତପାତ ବିନା କରୋନା ଦୁର୍ବାର
ଦେଇଛି ଯୁଦ୍ଧ ଡାକରା ,
ବିନା ରକ୍ତପାତେ ଶହ ଶହ ମୁଣ୍ଡ
ବଳି ପଡୁ ଅଛି ପରା ।
ତୋ ପୂର୍ବ ପୁରୁଷ ଯୁଝିଛନ୍ତି କେତେ
ଏହି ପରି ସଙ୍କଟରେ ,
ହାରି ନାହିଁ କେବେ ହାରିବାନି କେବେ
କରୋନା ଯୁଦ୍ଧ ଭୂମିରେ ।
ମୁଖେ ପିନ୍ଧି ମୁଖା ହାତରେ ସାବୁନ
ସାମାଜିକ ଦୂରତାକୁ ,
ସଚେତନତାର ସୁରକ୍ଷା କବଚ
ଆପଣେଇବା ଯେ ତାକୁ ।
ସଚେତନତାର ହାତେ ଅସ୍ତ୍ର ଧରି
ଦେଇଣ ରଣ ହୁଙ୍କାର ,
ସବୁ ଜନତାଙ୍କୁ ସଚେତନ କରି
କରିବା କରୋନା ଦୂର ।
ସଫା ସୁତୁରାକୁ କରି ଅଗୁସାର
ଆଗେଇ ଯିବା ହେ ବୀର ,
ଈଶ୍ୱର ସ୍ମରଣ ମନରେ ଆଣିବା
ଶୁଦ୍ଧ ପବିତ୍ର ବିଚାର ।
ଗରମ ଗରମ ଖାଦ୍ୟକୁ ଖାଇବା
ବାସିଖାଦ୍ୟ ଖାଇବାନି ,
କରୋନା ସହିତ ମୁକାବିଲା କରି
ଭୟ ତାକୁ କରିବାନି ।
ସମୟ ଆସିଛି ଶତ୍ରୁ ମାରିବାକୁ
ଏକତା ହେବାର ପାଇଁ ,
ସମଗ୍ର ବସୁଧା ଏକତା ହୋଇଲେ
କରୋନା ଦେବା ହଟେଇ ।
ଜାତି ଧର୍ମ ଭୁଲି ରାଗ ହିଂସା ଛାଡ଼ି
ହାତକୁ ହାତ ମିଶେଇ ,
ସହଯୋଗ ବିନା କରୋନା ଦୁର୍ବାର
ପାଦେ ନପାରିବ ଯାଇ ।
ପାରିବାନି ଜୟ କରୋନାକୁ କେବେ
ବିଶ୍ୱ ଏକତାର ବିନା ,
ଏକତାର ପାଇଁ ହେ ବିଶ୍ୱଜନତା
କାହିଁ ହୁଅ ନିଚମନା ।
ସମଗ୍ର ବସୁଧା ଅଟେ ଏକ ଦେଶ
ନୋହୁଁ ଆମେ କେହି ଭିନ୍ନ,
ମାନବ ତାହାର ନାଗରିକ ଅଟେ
ଏକତା ଆମର ଚିହ୍ନ ।