କର୍ମ ବଳ
କର୍ମ ବଳ
ବାହାଦୁରୀ ନାହିଁ ମୋ' ସ୍ନେହ ମମତା
ଏଇ ସମାଜରେ
ଶତ ଜୟଦରଥ
ତିଆରି କଲେ ।
ନିଜକୁ ଧନ୍ୟ ମୁଁ ଭାବିବି ସେ ଦିନ
ଗୋଟାଏ ଅର୍ଜୁନ
ପୁଣ୍ୟରେ ପୁଣ୍ୟରେ
ଗଢି ପାରିଲେ ।
ପବିତ୍ରତା ନାହିଁ, ତ୍ରିବେଣୀ ଘାଟରେ
ଦିନ ଦିନ ଧରି
ଗଙ୍ଗା ଜଳ ନେଇ
ତର୍ପଣ କଲେ ।
ସେଇ ଦିନ ପୁଣ୍ୟ ଆପେ ଆସିଯିବ
ଯେଉଁ ଦିନ ନିଜ
ଭିତର ହୃଦୟ
ନିଜେ ଧୋଇଲେ ।
ଧରମ ହୁଏନା ମନ୍ଦିରକୁ ଯାଇ
ଲକ୍ଷେ ଫୁଲ ଆଉ
ଅଜସ୍ର ଆଳତି
ଅର୍ପଣ କଲେ ।
ପୁଣ୍ୟ ମିଳିଥାଏ ଦୁଃଖୀ ଦରିଦ୍ରଙ୍କ
ଦୁଃଖରେ ନିଜକୁ
ନିଃସ୍ୱାର୍ଥ ଭାବରେ
ସାମିଲ କଲେ ।
ସତ୍ୟ ଖୋଜିବାକୁ ଲୋଡ଼ା ନାହିଁ କିଛି
ସତ୍ୟ ପଥେ ନିଜେ
ନିଜ ବିବେକକୁ
ରଖି ପାରିଲେ ।
ସୁକର୍ମ କୁକର୍ମ ଉଭୟ ଜୀବନେ
ଆଶ୍ରୟ ନିଅନ୍ତି
ନିଜର ନିତ୍ୟର
କର୍ମର ବଳେ ।
